ପୁଣି ଆରଟିଆଇ କଲା ଖୁଲାସା, ସରକାରଙ୍କ ଚିଠି ପାଇଛନ୍ତି ହୋଇକୋର୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାପରେ ଜଣେ ସିଟିଂ ଜଜଙ୍କୁ ଏହାର ତତ୍ତ୍ୱାବଧାରକ ଭାବେ ନିଯୁକ୍ତ କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟକୁ ଚିଠି ଲେଖିଥିଲେ ରାଜ୍ୟ ସରକାର। ତେବେ ଏହି ଚିଠିଟି କୋର୍ଟ ପାଇନଥିବା ନିକଟରେ ଏକ ଆରଟିଆଇର ଉତ୍ତରରେ ଦର୍ଶାଇଥିଲେ ଓଡ଼ିଶା ହାଇକୋର୍ଟଙ୍କ ଜନସୂଚନା ଅଧିକାରୀ। ହେଲେ ପୁଣିଥରେ ସେ ନିଜ ତଥ୍ୟକୁ ସଂଶୋଧନ କରି ସମାନ ଆରଟିଆଇର ନୂଆ ଉତ୍ତର ରଖିଛନ୍ତି। ସେ ଦର୍ଶାଇଛନ୍ତି ଯେ ସରକାରଙ୍କ ଚିଠି କୋର୍ଟ ପାଇଥିଲେ, ହେଲେ ଜଜ୍ ନିଯୁକ୍ତ କରିବାକୁ ମନା କରିଦେଇଥିଲେ।

ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଗତ ଡିସେମ୍ବର ୧୫ ତାରିଖରେ ଏହି ଆରଟିଆଇଟି ଫାଇଲ୍ କରିଥିଲେ। ସେ ହାଇକୋର୍ଟଙ୍କ ଠାରୁ ସରକାର ପଠାଇଥିବା ଚିଠିର ନକଲ ମାଗିବା ସହ ଏ ସମ୍ପର୍କରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ଜାଣିବାକୁ ଚାହିଁଥିଲେ। ଜାନୁଆରୀ ୬ ତାରିଖରେ ତାଙ୍କ ଆର୍ଟିଆଇର ଉତ୍ତର ରଖିଥିଲେ ହାଇକୋର୍ଟର ଜନ ସୂଚନା ଅଧିକାରୀ। ସେ ଦର୍ଶାଇଥିଲେ ଯେ ଏବେସୁଦ୍ଧା ଏମିତି କୌଣସି ଚିଠି ସରକାରଙ୍କ ନିକଟରୁ ହାଇକୋର୍ଟ ପାଇନାହାନ୍ତି। ଯେହେତୁ ଚିଠି ଆସିନି ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପରିସ୍ଥିତି ଉପୁଜିନି। ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ସମସ୍ତ କଥାକୁ ସାର୍ବଜନିନ କରିଥିଲେ ଶ୍ରୀ ପଣ୍ଡା।