୩୫.୦୬ ଲକ୍ଷ ମେଟ୍ରିକ୍ ଖରିଫ୍ ଧାନ ସଂଗ୍ରହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଖରିଫ୍ ଧାନସଂଗ୍ରହ କାର୍ଯ୍ୟ ଚାଲୁ ରହିଛି। ରବିବାର ସୁଦ୍ଧା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ମୋଟ୍ ୩୫ ଲକ୍ଷ ୬ ହଜାର ୧୮୩ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି।
କୋଭିଡ୍-୧୯ ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ ଅନୁପାଳନ କରି ଧାନ ସଂଗ୍ରହ କରାଯାଉଛି । ବିଭାଗ ଦ୍ୱାରା ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କଠାରୁ ପି-ପାସ୍ ଓ ଆଗୁଆ ଟୋକନ୍ ପ୍ରଦାନ ମାଧ୍ୟମରେ ଖରିଫ ଧାନ ସଂଗ୍ରହ କରାଯାଉଛି। ଗତବର୍ଷ ଠିକ୍ ଏହି ସମୟରେ ମୋଟ ୨୮ ଲକ୍ଷ ୮୧ ହଜାର ୪୭୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଚଳିତବର୍ଷ ତାହା ବୃଦ୍ଧି ହୋଇ ୩୫ ଲକ୍ଷ ୬ ହଜାର ୧୮୩ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ସମ୍ଭବ ହୋଇଛି।
ଚଳିତ ଖରିଫରେ ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ ସବାଗ୍ରେ ରହିଛି। ଗତ ବର୍ଷ ତୁଳନାରେ ୧୩% ଅଧିକ ଧାନ ସଂଗ୍ରହ ହୋଇଛି। ଉକ୍ତ ଜିଲ୍ଲାରେ ୬,୬୫,୦୪୮ ମେଟ୍ରିକ ଟନ ଧାନ ସଂଗୃହୀତ ହୋଇଛି। ହେଲେ ବଲାଙ୍ଗିର ଜିଲ୍ଲାରେ ୨,୮୪,୪୯୩ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ତାହା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୪୦ % ଅଧିକ। ସେହିପରି ଗତବର୍ଷ ତୁଳନାରେ ଚଳିତ ବର୍ଷ କଳାହାଣ୍ଡିରେ ୧୬ %, କୋରାପୁଟରେ ୧୭ %, ନବରଙ୍ଗପୁରରେ ୪୭ % , ନୂଆପଡ଼ାରେ ୩୩ %, ସମ୍ବଲପୁରରେ ୩୪ %, ସୁବର୍ଣ୍ଣପୁରରେ ୧୯ %, ସୁନ୍ଦରଗଡ଼ରେ ୨୭ % ଓ ମାଲକାନଗିରିରେ ୧୭ % ଅଧିକ ଖରିଫ ଧାନ ସଂଗ୍ରହ କରାଯାଇଛି। କଳାହାଣ୍ଡିରେ ୪,୧୨,୬୪୯ ମେଟ୍ରିକ ଟନ୍, କୋରାପୁଟରେ ୨,୧୧,୨୧୭ ମେଟ୍ରିକ ଟନ୍, ଗଞ୍ଜାମରେ ୧,୧୪,୩୨୫ ମେଟ୍ରିକ ଟନ୍, ନବରଙ୍ଗପୁରରେ ୧,୩୫,୬୧୮ ମେଟ୍ରିକ ଟନ୍, ନୂଆପଡ଼ାରେ ୧,୨୦,୯୦୭ ଟନ୍, ସମ୍ବଲପୁରରେ ୩,୩୭,୨୩୩ ମେଟ୍ରିକ ଟନ୍, ସୁବର୍ଣ୍ଣପୁରରେ ୨,୮୧,୪୩୫ ମେଟ୍ରିକ ଟନ, ସୁନ୍ଦରଗଡ଼ରେ ୧,୦୨,୬୫୭ ମେଟ୍ରିକ ଟନ୍ ଏବଂ ମାଲକାନଗିରିରେ ୧,୦୩,୦୮୨ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି।
ତେବେ ନାମ ପଞ୍ଚୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ଲ୍ୟାମ୍ପସ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକରେ ସେମାନଙ୍କ ଧାନ ବିକ୍ରି କରିପାରିବେ, ସେଥି ନିମନ୍ତେ ବିଭାଗୀୟ ଅଧିକାରୀମାନେ ସମସ୍ତ ପଦକ୍ଷେପ ନେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।