ପୋଲତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ମା’ରଚିଥିଲା ହତ୍ୟା ଷଡ଼ଯନ୍ତ୍ର

୫୦ହଜାର ଟଙ୍କାର ହୋଇଥିଲା ଡିଲ୍

ବାଲେଶ୍ୱର,ଏନ୍ଏନ୍ଏସ୍: ମା’ ତା’ର ଝିଅକୁ ମାରିବା ପାଇଁ ଦୁଇମାସ ପୂର୍ବରୁ ରଚିଥିଲା ହତ୍ୟା ଷଡ଼ଯନ୍ତ୍ର। ଏନେଇ ୫୦ହଜାର ଟଙ୍କାର ଡିଲ୍ ହୋଇଥିଲା। ସେଥିପାଇଁ ଅଗ୍ରୀମ ଭାବେ ଦିଆଯାଇଥିଲା ୮ହଜାର ଟଙ୍କା। ବାକି କାମ ସରିଥିଲେ ଦେଇଥାନ୍ତେ ଟଙ୍କା । ତେବେ ସଦର ପୁଲିସ ଏହି ସୁକଳ୍ପିତ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ହତ୍ୟାକାଣ୍ଡ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରି ୫୦ହଜାର ଟଙ୍କାର ଡିଲ କରିଥିବା ମୃତ ମହିଳାଙ୍କ ମା ଏବଂ ଟଙ୍କା ନେଇ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ହୋଇଥିବା ମୃତ ମହିଳାଙ୍କ ମା ହେଲେ ସୁକାନ୍ତୀ ଗିରି (୫୮) ଏବଂ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଜେନା(୩୨)।

ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଧରିବାପାଇଁ ଚେଷ୍ଟା କରାଯାଉଛି ବୋଲି ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଗତ ୧୩ତାରିଖ ସକାଳେ ବାଲେଶ୍ୱର ଜିଲ୍ଲା ସଦର ଥାନା ଅର୍ନ୍ତଗତ ନଗ୍ରମସ୍ଥିତ ଏକ ପୋଲତଳେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ନେଇ ଖବର ପାଇବା ପରେ ସଦର ପୁଲିସ ମୃତଦେହ ଜବତ କରିଥିଲା। ସେହି ମହିଳା ଜଣକ ରାଇସୁଆଁ ଅଞ୍ଚଳର ଶିବାନୀ ନାୟକ (୩୮) ବୋଲି ଜଣାପଡ଼ିଥିଲା। ଏନେଇ ମୃତକଙ୍କ ଭାଇ ଆଶିଷ କୁମାର ଗିରି ତାଙ୍କ ଭଉଣୀଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଛି ବୋଲି ସଦର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।