ସାମ୍ବାଦିକଙ୍କ ଗୋଡରେ ବେଡି ପକାଯିବା ଗ୍ରହଣୀୟ ନୁହେଁ, ଦୃଢ ନିନ୍ଦାକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ବର,ଏନ୍ଏନ୍ଏସ୍: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପୋଲିସର ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା । ଟ୍ବିଟ କରି ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଏକ ଦୁଃଖଦଦାୟକ ଓ ଗଭୀର ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି । ଏହି ଘଟଣାରେ ସେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏ ନେଇ ସେ ଟ୍ବିଟ କରି ଲେଖିଛନ୍ତି ଯେ ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ । ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଓଡ଼ିଶାରେ ବିଗତ କିଛି ଦିନ ମଧ୍ୟରେ ମାଲକାନଗିରିରେ ସାମ୍ବାଦିକ ମାନଙ୍କୁ ପୋଲିସର ଦୁଃବ୍ୟବହାର କିମ୍ବା ନିର୍ବାଚନ ସମୟରେ ଯାଜପୁର, ପିପିଲି ତଥା ଅନେକ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବାକୁ ପଡ଼େ । କିନ୍ତୁ ଏକ ପେଶାଦାର ଅପରାଧୀ ଭଳି ଜଣେ ସାମ୍ବାଦିକଙ୍କୁ ବେଡ଼ି ପକାଯିବା ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ । ପୋଲିସ ପ୍ରଶାସନ ଉପରେ ସାଧାରଣ ଲୋକଙ୍କର ଭରସା ରହିଥାଏ । ଏହି ଭରସା ବଜାୟ ରଖିବାକୁ ହେଲେ ଉଚ୍ଚପଦସ୍ଥ ଅଧିକାରୀ ମାନେ ସଠିକ୍ ଭାବରେ ତଦନ୍ତ କରି ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି ।

ତେବେ ସୂଚନା ଥାଉ କି ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନିଳଗିରି ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝାସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଠାତ ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ତେବେ ସାମ୍ବାଦିକଙ୍କ ସାସ୍ଥ୍ୟାବସ୍ଥା ଗମ୍ଭୀରଭାବେ ଖରାପ ହୋଇଥିବା ଯୋଗୁଁ ତାଙ୍କୁ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ତାଙ୍କ ଗୋଡରେ ବେଡି ପକାଇ ରଖିବା ଘଟଣା ପୋଲିସର ଆକ୍ରୋଶକୁ ଆହୁରି ସ୍ପଷ୍ଟ କରୁଛି ।