ଭାରତର ସୀମା ସୁରକ୍ଷା; ଚୀନକୁ ଜଗିବ ହେରୋନ୍ ଡ୍ରୋନ

ନୂଆଦିଲ୍ଲୀ,ଏଜେନ୍ସି: ପଡୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନର ଗତିବିଧି ଉପରେ ନଜର ରଖିବା ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଇସ୍ରାଏଲ ନିର୍ମିତ ୧୦୦ ହେରୋନ୍ ଡ୍ରୋନ୍ କିଣିବ। ଇସ୍ରାଏଲ ନିର୍ମିତ ଏହି ଅତ୍ୟାଧୁନିକ ଡ୍ରୋନ ଭାରତୀୟ ସେନାର ଅତି ଜରୁରୀ ଆବଶ୍ୟକତା ମେଣ୍ଟାଇ ପାରିବ। ଏନେଇ ଜଣେ ବରିଷ୍ଠ ସେନା ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଏହି ଡ୍ରୋନ ଆକାଶରୁ ଚତୁର୍ଦ୍ଦିଗକୁ ନଜର ରଖିପାରିବ ଓ ଯାହା ଫଳରେ ଭାରତୀୟ ସେନାକୁ ଶତ୍ରୁ ସହ ଲଢିବାକୁ ଆଗୁଆ ସୂଚନା ମିଳିପାରିବ। ଏହି ମାନବରହିତ ଡ୍ରୋନ କେବଳ ଚତୁର୍ଦ୍ଦିଗକୁ ନଜର ରଖିବ ତା ନୁହେଁ, ବହୁ ଉଚ୍ଚରୁ ଆକ୍ରମଣ କରିବାକୁ ମଧ୍ୟ ସକ୍ଷମ ହେବ। ଏହି ଡ୍ରୋନରେ ଲେଜର ଗାଇଡେଡ୍ ବମ୍, ଆଣ୍ଟି ଟ୍ୟାଙ୍କ ମିଶାଇଲ ମଧ୍ୟ ଲଗାଯାଇପାରିବ। ହେରୋନ୍ ଡ୍ରୋନ କ୍ରମାଗତ ଭାବରେ ୩୦ ଘଣ୍ଟା ଧରି ଆକାଶରେ ଉଡିବାକୁ ସକ୍ଷମ। ଏଥିରେ ଗୁଇନ୍ଦା କ୍ୟାମେରା ଲଗାଯାଇଥାଏ ଯାହା ବହୁ ଦୂରରୁ ମଧ୍ୟ ଶତ୍ରୁ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିପାରିଥାଏ। ଆକାଶରୁ ଆତଙ୍କବାଦୀ ଓ ଶତ୍ରୁଙ୍କ ଠିକଣା ଚିହ୍ନିବାରେ ଏହି ଡ୍ରୋନ ସକ୍ଷମ ଏବଂ ଏହାକୁ ଧ୍ୱଂସ କରିବାରେ ମଧ୍ୟ ଏହା ଅଦ୍ୱିତୀୟ। କୌଣସି ପାଗରେ ମଧ୍ୟ ଏହି ଡ୍ରୋନ ଉଡିପାରେ ଓ ୪୫ ହଜାର ଫୁଟ ଉଚ୍ଚ ପର୍ଯ୍ୟନ୍ତ ୧ ଟନ୍ ଓଜନ ନେଇ ଉଡିବାକୁ ଏହା ସକ୍ଷମ।