ଜୋରିମାନାକୁ ନେଇ ସେନା କର୍ମଚାରୀ ଓ ପୁଲିସ ମୁହାଁମୁହିଁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୋରିମାନା ଆଦାୟକୁ ନେଇ ରବିବାର ବାଣୀବିହାର ଛକରେ ସେନା କର୍ମଚାରୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ବିନା ମାସ୍କରେ ଜଣେ ସେନା କର୍ମଚାରୀ ଯାଉଥିବାରୁ ପୁଲିସ ତାଙ୍କୁ ଜୋରିମାନା ଦେବାକୁ କହିଥିଲେ। ହେଲେ ଏଥିରେ ସେ ରାଜି ନହୋଇ ପାଟିତୁଣ୍ଡ କରିଥିଲେ। ପରେ ସମ୍ପୃକ୍ତ ସେନା କର୍ମଚାରୀ ସହିଦନଗର ଥାନାକୁ ଯାଇ ୫ ଶହ ଟଙ୍କା ଜୋରିମାନା ଦେଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶନିବାର ଓ ରବିବାର ରାଜଧାନୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିଛି। ରବିବାର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଜଣେ ସେନା କର୍ମଚାରୀ ବିନା ମାସ୍କରେ ବାଇକରେ ତାଙ୍କ ପତ୍ନୀଙ୍କୁ ହସ୍ପିଟାଲ ଛାଡ଼ିବାକୁ ଯାଉଥିଲେ। ବାଣୀବିହାର ଛକ ଦେଇ ସେ ଯାଉଥିବାବେଳେ ପୁଲିସ ତାଙ୍କୁ ଅଟକାଇ ଜୋରିମାନା ମାଗିଥିଲେ। ହେଲେ ସେ ଦେବାକୁ ମନା କରିଦେଇଥିଲେ। ସେ କହିଥିଲେ ମୁଁ ହେଲମେଟ୍‍ ପିନ୍ଧିଛି। ଗ୍ଲାସ୍ ବି ବନ୍ଦ କରିଛି। ମୋର ମାସ୍କ ପିନ୍ଧିବା ଜରୁରୀ ନାହିଁ। ଏହି କଥା ଶୁଣିବା ପରେ ପୁଲିସ କହିଥିଲେ ଆପଣ ପାଟି ନକରି ୫ଶହ ଟଙ୍କା ଜୋରିମାନା କାଟି ଦିଅନ୍ତୁ। ପୁଲିସ ମୁହଁରୁ ଏଭଳି କଥା ଶୁଣିବା ପରେ ସମ୍ପୃକ୍ତ ସେନାକର୍ମଚାରୀ ଉତ୍ତେଜିତ ହୋଇପଡ଼ିଥିଲେ। ଏନେଇ ସେ ପୁଲିସ ସହ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଥିଲା। ଅନ୍ୟପକ୍ଷରେ ସେନାକର୍ମଚାରୀଙ୍କ ପତ୍ନୀ ଜୋରିମାନା ଦେବାକୁ ରାଜି ହୋଇ ଟଙ୍କା କାଢୁଥିଲେ। ହେଲେ ଏହି ସମୟରେ ସେନାକର୍ମଚାରୀ ପୁଲିସଙ୍କୁ ଛାଡ଼ି ତାଙ୍କ ପତ୍ନୀଙ୍କୁ ଗାଳିମନ୍ଦ କରିବା ଆରମ୍ଭ କରିଦେଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ବାଣୀବିହାର ଛକରେ ୩ଟି ପିସିଆର ଭ୍ୟାନ୍ ପହଞ୍ଚିଯାଇଥିଲା। ଏହାପରେ ଦମ୍ପତି ସହିଦନଗର ଥାନାକୁ ଯାଇଥିଲେ। ସେଠାରେ ଘଟଣାର ସମାଧାନ କରି ସେନାକର୍ମଚାରୀ ୫ଶହ ଟଙ୍କା ଜୋରିମାନା ଦେଇଥିଲେ।