ବସ୍ ଦୁର୍ଘଟଣା: ହେଲପର ମୃତ, ୮ ଗୁରୁତର

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ନାମକ ଏକ ଘରୋଇ ବସ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ସମପେଟା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ହେଲପରର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏଥିସହିତ ବସରେ ଯାତ୍ରା କରୁଥିବା ଜଣେ ମହିଳା ଚାପି ହୋଇ ରହିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଥିସହିତ ଅଧିକ ଗୁରୁତରଙ୍କୁ ବ୍ରହ୍ମପୁର ଓ ଭୁବନେଶ୍ୱର ପଠାଯିବାର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଉକ୍ତ ବସଟି ଯାତ୍ରୀଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟା ସମୟରେ ସମପେଟା ନିକଟରେ ବସଟି ଠିଆ ହୋଇଥିବା ଏକ ଟିପରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସଟି କିଛି ବାଟ ପର୍ଯ୍ୟନ୍ତ ଘଷି ହୋଇ ଏକ ଡିଭାଇଡରରେ ପିଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବସର ବେଗ ଅଧିକ ଥିଲା। ମୃତ ହେଲପର ଦୁଇ ଶହ ମିଟର ପଛକୁ ପଡିଥିଲା। ଗୁରୁତରଙ୍କ ମଧ୍ୟରେ କାହାର ଗୋଡ଼ ଭାଙ୍ଗିଛି ତ କାହାର ଅଣ୍ଟା ମାଡ଼ ହୋଇଥିବା ସୂଚନା ମିଳିଛି। ଅଧିକାଂଶ ଯାତ୍ରୀ ରାତାରାତି ଅନ୍ୟ ବସ୍ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଳାଇଥିବା ସୂଚନା ମିଳିଛି। ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।