ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଭାଲୁକୁନ୍ଦ ଗାଁ’ର ସୁମନ୍ତ ସାହୁ(୩୪) ଓ ତାଙ୍କର ଏକ ହାତରେ କର୍କଟ ରୋଗ ହୋଇଛି। ଫଳରେ ସେହି ହାତଟିରୁ ମାଂସ ଝଡି ବାକୁ ଲାଗିଛି। ତେବେ ସେ ଜଣେ ଅସହାୟ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା କରିନପାରି ଘରେ ଥିଲେ। ଏ ଖବର ବିଙ୍ଗ ହ୍ୟୁମାନର କର୍ମକର୍ତ୍ତାମାନେ ଜାଣିବା ପରେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ତାଙ୍କୁ ପ୍ରଥମେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସେହିପରି ଆଗଲପୁର ବ୍ଲକ୍ ଡୁଙ୍ଗୁରିପାଲି ଗାଁ’ର ରବୀନ୍ଦ୍ର ସେଠ(୪୦)ଙ୍କ ଖାଦ୍ୟ ନଳୀ ବଙ୍କା ହୋଇ ପେଟରେ ମାଂସ ବୃଦ୍ଧି ହେଉଛି। ସେ ମଧ୍ୟ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ଚିକିତ୍ସା କରାଇବାର ସମ୍ବଳ ନାହିଁ। ତେଣୁ ସେ ନିରୁପାୟ ହୋଇ ଘରେ ପଡି ରହିଥିଲେ। ଖବର ପାଇ ତାଙ୍କୁ ମଧ୍ୟ ବିଙ୍ଗ ହ୍ୟୁମାନ ଅନୁଷ୍ଠାନର କର୍ମକର୍ତ୍ତାମାନେ ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଏଥିସହ ଏହି ୨ ଜଣ ଅସହାୟ ଗୁରୁତର ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ସୂଚନା ଦିଆଯାଇଥିଲା। ପରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ପେସିଆଲ ଆମ୍ବୁଲାନ୍ସ ଯୋଗେ ଦୁହିଁଙ୍କୁ କଟକ ମେଡିକାଲକୁ ପଠାଇଛି। ସେହିପରି ବିଙ୍ଗ ହ୍ୟୁମାନ ପକ୍ଷରୁ ଦୁହିଁଙ୍କୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରାଯାଇଛି। ଏଥିସହିତ କଟକରେ ତାଙ୍କୁ ବିଙ୍ଗ ହ୍ୟୁମାନ କଟକର ସଦସ୍ୟମାନେ ଦେଖାରେଖା କରିବେ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଏବଂ ସମ୍ପାଦକ ବିବେକ ପଟେଲ କହିଛନ୍ତି।