କୃଷି ବିଲକୁ ବିରୋଧ, ଭେଡେନରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବରଗଡ଼,ଏନ୍ଏନ୍ଏସ୍: କୃଷି ବିଲକୁ ବିରୋଧ କରି ବରଗଡ଼ ଜିଲ୍ଲା ଭେଡେନରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ବନ୍ଦ ପାଳନ ଯୋଗୁଁ ଭେଡେନ ବ୍ଲକର ଭେଡେନ, ଥୁଆପାଲି, ସହରାଟିକ୍ରା, ରେଶମ ଆଦି ଅଞ୍ଚଳରେ ବନ୍ଦ ପାଳନ ହେଉଛି। କୃଷି ବିଲକୁ ବିରୋଧ କରି ଜନସାଧାରଣ ଦୋକାନ ବଜାର ବନ୍ଦ ରଖିଥିବାବେଳେ କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରୁଥିଲେ। ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା।

ଏହି ନୂତନ ବିଲ ଯୋଗୁଁ କୃଷକଙ୍କ ପ୍ରଗତି ବଦଳରେ ଦୁର୍ଗତି ହେବ ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ମୋଦୀ ସରକାର ଉକ୍ତ କଳାଆଇନ ମାଧ୍ୟମରେ କୃଷକଙ୍କୁ ସର୍ବସ୍ୱାନ୍ତ କରି ଖାଉଟିଙ୍କୁ ମହଙ୍ଗା ବଜାରକୁ ଠେଲି ଦେବ। ତେଣୁ ଏହି ବିଲକୁ ଫେରାଇ ନେବାକୁ ଦଳ ପକ୍ଷରୁ ଦାବି ହୋଇ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ପାଳନରେ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା କଂଗ୍ରେସ ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ବ୍ଲକ ସଭାପତି ଗଣେଶ ପ୍ରଧାନ, ଦଶରଥ ମେହେର, ଚମାର ମେହେର, ବିଶ୍ୱଜିତ ହୋତା, ସ୍ୱାଧୀନ ରଥ, କିଶୋର ସାହୁ ସମେତ ବହୁ କର୍ମକର୍ତ୍ତା ସାମିଲ ଥିଲେ।