ହାଥରସ ପୀଡ଼ିତା ସହ ଦୁଷ୍କର୍ମ ଭଳି କୌଣସି ଘଟଣା ଘଟିନାହିଁ : ଉତ୍ତରପ୍ରଦେଶ ଏଡିଜି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଏବେ ରାଜନୀତି ଜୋର ଧରିଛି। କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ସମେତ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରି ଧାରଣା ପ୍ରଦର୍ଶନ କରୁଥିବାବେଳେ ଉତ୍ତରପ୍ରଦେଶର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜି) ପ୍ରଶାନ୍ତ କୁମାର ବଡ଼ ବୟାନ ଦେଇଛନ୍ତି।

ପ୍ରଶାନ୍ତ କହିଛନ୍ତି ଯେ, ହାଥରସ ଘଟଣାରେ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ଭଳି କୌଣସି ଘଟଣା ଘଟିନାହିଁ। ବେକରେ ଶକ୍ତ ଆଘାତ ଲାଗିବା ଯୋଗୁ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିବା ପୋଷ୍ଟମୋର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ନମୁନାରୁ କୌଣସି ସ୍ପର୍ମ କିମ୍ବା ଶୁକ୍ରାଣୁ ମିଳିନଥିବା ମଧ୍ୟ ଫରେନସିକ ରିପୋର୍ଟରୁ ଜଣାପଡ଼ିଛି। ସ୍ଥାନୀୟ ରିପୋର୍ଟରଙ୍କଠାରୁ ମଧ୍ୟ ଏକ ଭିଡିଓ ମିଳିଛି ଯେଉଁଥିରେ ପୀଡ଼ିତା ଜଣକ ଜିଭ ଦେଖାଇଛନ୍ତି। ଏହା ଜିଭ କଟିବା ଓ କାଟିବା କଥାକୁ ବି ଭୁଲ ପ୍ରମାଣିତ କରିଛି। ଏଥିରୁ ସାମାଜିକ ସୌହାର୍ଦ ଓ ଜାତୀୟ ହିଂସାକୁ ଉସୁକାଇବା ପାଇଁ କିଛି ତଥ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଉଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି।