ଅବକାରୀ ବିଭାଗ ଚଢ଼ଉରେ ବିପୁଳ ପରିମାଣର ଦେଶୀ ମଦ ଜବତ, ୩ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦଙ୍ଗିଆବାହାଲ ଓ ଇଲାପାଲି ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଅଲେଖ ବରିହା, କୈଳାସ ଭୁଏ ଓ ଜନକେସନ ମଲ୍ଲିକ । ମିଳିଥିବା ରିପୋର୍ଟ ମୁତାବକ, ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇ ପାଟଣାଗଡ଼ ଅବକାରୀ ବିଭାଗ ଅଧିକାରୀ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅବକାରୀ ବିଭାଗର ଅଜିତ ସାହୁ, ବୁଲୁ ସେଠୀ ଓ ଗୁଣମତି ମାଝୀଙ୍କ ସହ ଅନ୍ୟ କର୍ମଚାରୀ ଗାଁରେ ଚଢ଼ଉ କରିଥିଲେ । ଏହି ସମୟରେ ଦେଶୀ ମଦ ରାନ୍ଧୁ ଥିବାବେଳେ ୭୨ ଲିଟର ଦେଶୀ ମଦ, ଆବଶ୍ୟକ ଜିନିଷ ପତ୍ର, ୬ଟି ପ୍ଲାଷ୍ଟିକ ଜାର ଓ ୪ଟି ପ୍ଲାଷ୍ଟିକ ଡ୍ରମକୁ ଜବତ କରିଛି । ଅଭିଯୁକ୍ତଙ୍କୁ ପାଟଣାଗଡ଼ ଅବକାରୀ ବିଭାଗର ଅଫିସକୁ ଆଣି ଅଧିକ ପଚରାଉଚରା କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଅବକାରୀ ଶ୍ରୀ ଦାସ କହିଛନ୍ତି ।