ପାଟଣାଗଡ଼,ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ ଓୟୁଜେ ଭବନଠାରେ ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଛାଡ଼ି ଗଣମାଧ୍ୟମ ଯେଉଁଭଳି ଗୁରୁତ୍ୱହୀନ ପ୍ରସଙ୍ଗ ପଛରେ ପଡ଼ିଛି ସେନେଇ ଚର୍ଚ୍ଚା ହୋଇଥିଲା । କାହାର ବ୍ୟକ୍ତିଗତ ସ୍ୱାଧୀନତାରେ ହସ୍ତକ୍ଷେପ ନ କରି ସାମ୍ବାଦିକ ଓ ଗଣମାଧ୍ୟମ ଲକ୍ଷଣ ରେଖା ପରିଧିରେ ରହି କାର୍ଯ୍ୟ କରିବା ଉଚିତ ବୋଲି ଉପସ୍ଥିତ ସଭ୍ୟମାନେ ମତପ୍ରକାଶ କରିଥିଲେ । ମୁଖ୍ୟତଃ ସାମ୍ବାଦିକଙ୍କ ବୀମା ରାଶି ୨ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ବୃଦ୍ଧି ସହ ମାସିକ ୨୦ ହଜାର ଟଙ୍କା ପେନସନ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ରାଜ୍ୟରେ ଦିନକୁଦିନ ସାମ୍ବାଦିକଙ୍କ ପ୍ରତି ଆକ୍ରମଣ ବଢ଼ି ଚାଲିଥିବାରୁ ତୁରନ୍ତ ସରକାର ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଏହି ବୈଠକରେ ଦାବୀ କରାଯାଇଛି । ଏନେଇ ଓୟୁଜେ ଗତ ମାସରେ ଗୁଣୁପୁରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ରାଜ୍ୟ ସରକାର ତୁରନ୍ତ ଏହି ଦାବି ପ୍ରତି ଧ୍ୟାନ ନ ଦେଲେ ଆସନ୍ତା ଦିନରେ ଓୟୁଜେ ସାରା ୩୦ ଜିଲ୍ଲାରେ ଆନ୍ଦୋଳନ କରିବ ବୋଲି ମତପ୍ରକାଶ ପାଇଥିଲା । ଶେଷରେ ଭୁବନେଶ୍ୱରରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ରାଜ୍ୟ ଉପସଭାପତି କିଶାନ ରାଉତ ରାଜେଶ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ ପାଇକରାୟ କୋଷାଧ୍ୟକ୍ଷ, ଅମୂଲ୍ୟ ସ୍ୱାଇଁ, କାର୍ଯ୍ୟାଳୟ ସମ୍ପାଦକ ସୁଧାଂଶୁ ଶେଖର ପରିଡ଼ା, ସଂଗଠନ ସମ୍ପାଦକ ଦୀପକ ଶତପଥୀ, ଓୟୁଜେ ପୂର୍ବତନ ସଭାପତି ପ୍ରକାଶ ପାଣିଗ୍ରାହୀ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଅକ୍ଷୟ ସାହୁ ଓ ବରିଷ୍ଠ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।