ବିପୁଳ ପରିମାଣର ମହୁଲି ଓ ବିଦେଶୀ ମଦ ଜବତ, ୭ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣରେ ମହୁଲି ଓ ବିଦେଶୀ ମଦ ଜବତ କରିଛି। ଆଉ ଏଥିରେ ସମ୍ପୃକ୍ତ ଥିବା ୭ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଡ଼ିପୋଖରୀ ଗ୍ରାମର ରୁକ୍ମିଣୀ ମହାନ୍ତ, ଜୋସ୍ନାରାଣୀ ମହାନ୍ତ, ବଟକୃଷ୍ଣ ମୁଣ୍ଡା, ବାଉଁଶୁଳି ଗ୍ରାମର ନବଘନ ମୁଣ୍ଡା, ଫୁଲମଣି ମୁଣ୍ଡା, ଖୀରେଇଟାଙ୍ଗିରୀର ପ୍ରେମାନନ୍ଦ ନାୟକ ଓ ତୁରୁମୁଙ୍ଗା କାଳି ଢାବାର ମାଲିକ ଦିଲ୍ଲୀପ କୁମାର ସାହୁ। ମିଳିଥିବା ରିପୋର୍ଟ ମୁତାବକ, ଜିଲ୍ଲା ଅବକାରୀ ନିରୀକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ସ୍କ୍ୱାର୍ଡ ଅଧିକାରୀ ଚନ୍ଦନ ମଣ୍ଡଳଙ୍କ ନେତୃତ୍ୱରେ ଶୁକ୍ରବାର ପାଟଣା ଏବଂ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ମହୁଲି ମଦ ଓ ବିଦେଶୀ ମଦ ଜବତ କରିବା ସହ ମହୁଲି ପ୍ରସ୍ତୁତ ପାଇଁ ହେବାକୁ ଥିବା ପୋଚ ନଷ୍ଟ କରାଯାଇଛି। ତୁରୁମୁଙ୍ଗା ଥାନାର ରେଙ୍ଗାଳବେଡ଼ା, ତୁରୁମୁଙ୍ଗା, କଣ୍ଟିଆପଡ଼ା, ବାଉଁଶୁଳି, ଗୋଡ଼ିପୋଖରୀ ଓ ପାଟଣା ଥାନା ବନବୀରରେ ୧୯୦ ଲିଟର ମହୁଲି ମଦ ସହ ୧୬୦୦ ଲିଟର ମହୁଲ ପଚ ନଷ୍ଟ କରିଥିବା ଜଣାପଡ଼ିଛି। ଏଥିସହ ତୁରୁମୁଙ୍ଗା ମା’ କାଳୀ ଢାବାରୁ ୭.୮୦୦ ଲିଟର ବିଅର ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ମୋବାଇଲ ସ୍କ୍ୱାର୍ଡ ଅଧିକାରୀ ଚନ୍ଦନ ମଣ୍ଡଳ ସୂଚନା ଦେଇଛନ୍ତି।