ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର: ମୋବାଇଲ୍ ଓ କ୍ୟାଣ୍ଡଲ୍ ଲାଇଟ୍ରେ ରୋଗୀସେବା ଜିଲ୍ଲାରାଜ୍ୟ By Nitidin Last updated Apr 18, 2022 Share ପୋଲସରା,ଏନ୍ଏନ୍ଏସ୍: ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚରମ ଅବ୍ୟବସ୍ଥା ଦେଖିବାକୁମିଳିଛି । କେତେବେଳେ ଡାକ୍ତର ରହୁନାହାନ୍ତି ତ ଆଉ କେତେବେଳେ ଡାକ୍ତର ଥିଲେ ମଧ୍ୟ ରୋଗୀଙ୍କୁ ସଠିକ୍ ଚିକିତ୍ସା ସେବା ମିଳୁନଥିବା ଅଭିଯୋଗ ହୋଇଆସୁଛି । ରବିବାର ସନ୍ଧ୍ୟାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଡ୍ୟୁଟିରେ ଥିବା ଡାକ୍ତର ପ୍ରଜ୍ଞା ପ୍ରଥମା ମୋବାଇଲ ଓ ମହମବତି ଆଲୁଅରେ ରୋଗୀସେବା କରୁଥିବା ବେଳେ ପ୍ରସୂତି ଗୃହରେ ମଧ୍ୟ ମୋବାଇଲ ଲାଇଟ୍ ସାହାଯ୍ୟରେ କାର୍ଯ୍ୟ ହେଉଥିବା ଦେଖିବାକୁ ମିିଳିଛି । ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସମସ୍ୟା ଆଜିର କିମ୍ବା କାଲିର ନୁହେଁ, ନିତିଦିନିଆ ଘଟଣା ବୋଲି କଳମ୍ବ ଗ୍ରାମର ତପସ୍ୱିନୀ ସାହୁ କହିଛନ୍ତି । ତପସ୍ୱିନୀଙ୍କ କହିବାର କଥା ହେଉଛି, ଗର୍ଭଯନ୍ତ୍ରଣା ହେବାରୁ ସେ ତାଙ୍କର ସମ୍ପର୍କୀୟା ମାଉସୀଙ୍କୁ ଅପରାହ୍ନ ୪ଟାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ତତ୍କାଳ କୌଣସି ସେବା ମିଳିନଥିଲା । ସଂଧ୍ୟା ୭ଟାରେ ମାଉସୀ ଏକ ପୁତ୍ର ସନ୍ତାନକୁ ଜନ୍ମଦେଇଥିଲେ । କିନ୍ତୁ ପରିତାପର ବିଷୟ ହେଉଛି, ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ୍ ନଥିଲା କିମ୍ବା ଜେନେରେଟରର ମଧ୍ୟ ସୁବିଧା ନଥିଲା । ନର୍ସମାନେ ମୋବାଇଲ୍ ଲାଇଟ୍ ପକାଇ ଇଞ୍ଜେକ୍ସନ ଦେଲେ ଏବଂ ପ୍ରସବ ମଧ୍ୟ କରାଇଥିଲେ । ଏହା ହେଉଛି ପୋଲସରାର ବିକାଶ ବୋଲି ତପସ୍ୱିନୀ ଗଣମାଧ୍ୟମକୁ କହିଛନ୍ତି । ବିଦ୍ୟୁତ ଗଲାପରେ କୌଣସି ସୁବିଧା ନଥିବାରୁ ମହମବତି ସହ ମୋବାଇଲ ଲାଇଟ୍ ହିଁ ରୋଗୀଙ୍କ ଭରସା ବୋଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ରୋଗୀ ଓ ସମ୍ପର୍କୀୟମାନେ କହିଥିଲେ । ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ସମସ୍ୟାକୁ ଅନୁଧ୍ୟାନ କରିବାକୁ ଦାବିହେଉଛି । କାହାର ଅବହେଳାରୁ ଏହିଭଳି ସମସ୍ୟା ଉପୁଜୁଛି ତା’ର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିହେଉଛି । ଏହି ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବାଲାଗି ଚିକିତ୍ସାଧୀନ ରୋଗୀ ଓ ସମ୍ପର୍କୀୟମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଡିୟୁଟିରେ ଥିବା ଡାକ୍ତର ପ୍ରଜ୍ଞା ପ୍ରଥମା ସମସ୍ୟାକୁ ନେଇ ଅସନ୍ତୋଷ ଜାହିର କରିବା ସହ ବିଦ୍ୟୁତ୍କାଟ ପରେ କୌଣସି ସୁବିଧାନାହିଁ, ତେଣୁ ମୁଁ ଡାକ୍ତର ହିସାବରେ ମହମବତି ହେଉ କିମ୍ବା ମୋବାଇଲ୍ ଲାଇଟ୍ ଲଗାଇ ରୋଗୀଙ୍କ ସେବା କରିବି । କୌଣସି ସୁବିଧା ଥାଉ କି ନଥାଉ ସେବା ଯୋଗାଇବା ମୋର ଧର୍ମ ବୋଲି ପ୍ରତିକ୍ରିୟାରେ କହିଛନ୍ତି । Share