ମାଲକାନଗିରି ପୌର ପରିଷଦରେ ଖଣି ମନ୍ତ୍ରୀଙ୍କ ଦ୍ୱାରା ସ୍ମାର୍ଟ କାର୍ଡ ବଣ୍ଟନ

ମାଲକାନଗିରି,ଏନ୍ଏନ୍ଏସ୍: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ ହେବା ପରେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଡ ବଣ୍ଟନ କରାଯାଇଛି। ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ତଳସାହି ପ୍ରାଥମିକ ବିଦ୍ୟାଳୟରେ ସ୍ମାର୍ଟ କାର୍ଡ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଲୋପମୁଦ୍ରା ବକ୍ସିପାତ୍ର, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମି, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷା ରାଜୱନ୍ତ କୌର ଯୋଗଦେଇ ଏହି କାର୍ଡ ଦ୍ୱାରା ସମସ୍ତ ହିତାଧିକାରୀ ମାଗଣାରେ ଚିକିତ୍ସା ସୁବିଧା ପାଇବେ।

ଏହାଦ୍ୱାରା ପ୍ରତ୍ୟେକ ପରିବାର ପାଇଁ ୫ ଲକ୍ଷ ଓ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ। ଏହି ଯୋଜନାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ଓ ମେଡିକାଲ କଲେଜ ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ବୋଲି କହିଥିଲେ। ଏଥିରେ ହିତାଧିକାରୀଙ୍କୁ ଅତିଥିଗଣ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ।