ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ୭୯ ତମ ଗୁଳିକାଣ୍ଡ ଦିବସ ପାଳିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ଆଜି ୭୯ ତମ ଗୁଳିକାଣ୍ଡ ଦିବସ ପାଳିତ ହୋଇଯାଇଛି। ଏଥିରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ଜିଲ୍ଲା ପରିଷଦ ସଭାପତି ଦଶରଥ ପଡ଼ିଆମି, ପୂର୍ବତନ ମାଥିଲି ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ, ଜିଲ୍ଲା ପରିଷଦ ସଦସ୍ୟ ବାଲାରାଜୁ କୋପେ, ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ମାଝୀ, ସିପିଆଇର ଜିଲ୍ଲା ସମ୍ପାଦକ ହଳଧର ପୂଜାରୀ, ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ଘନଶ୍ୟାମ ମାଡ଼କାମି, ଦୁରୁଆ ସମାଜର ସଭାପତି ମଙ୍ଗଳା ଦୁରୁଆ, କୃଷକ ସଂଗଠନ ସଭାପତି ସନୁ ଅନୁଗୁଙ୍କ ସମେତ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ବହୁ ବୁଦ୍ଧିଜୀବୀ ଯୋଗଦେଇ ସ୍ଥାନୀୟ ହାଟପଦାସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ପାଠାଗାରରୁ ଏକ ଶୋଭାଯାତ୍ରାରେ ବାହାରି ମାଥିଲି ଥାନା ପରିସରରେ ସହିଦ ସ୍ମୃତି ସ୍ତମ୍ଭ ଓ ସହିଦ ପୀଠରେ ପହଞ୍ଚିଥିଲେ।

ସେଠାରେ ସହିଦ ସଂଗ୍ରାମୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏ ଅବସରରେ ଉଦବୋଧନ ଦେଇ ସତ୍ୟାଗ୍ରହ କରି ମାଥିଲି ଥାନା ଉପରେ ଜାତୀୟ ପତାକା ଉଡ଼ାଇବା ବେଳେ ପୁଲିସ ଗୁଳି ଓ ଲାଠି ଚାଳନାରେ ମୃତ୍ୟୁବରଣ କରିଥିବା ସହିଦ ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ।

ସୂଚନା ଯୋଗ୍ୟ ଯେ, ମହାତ୍ମାଗାନ୍ଧୀଙ୍କ ଡାକରାରେ ସହିଦ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଗତ ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ଇଂରେଜ ବିରୋଧରେ ମାଥିଲିଠାରେ ସତ୍ୟାଗ୍ରହ କରି ମାଥିଲି ଥାନା ଉପରେ ଜାତୀୟ ପତାକା ଉଡ଼ାଇବା ବେଳେ ପୁଲିସ ଗୁଳିରେ ବହୁ ସଂଗ୍ରାମୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଜି. ରାମେୟା ନାମକ ବନରକ୍ଷୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ପୁଲିସ ବନରକ୍ଷୀଙ୍କ ହତ୍ୟା ଅଭିଯୋଗରେ ସହିଦ ଲକ୍ଷ୍ମଣ ନାୟକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖ ଦିନ ବ୍ରହ୍ମପୁର ଜେଲରେ ଫାସି ଦେଇଥିଲା। ସହିଦ ଲକ୍ଷ୍ମଣ ନାୟକ ଓ ଅନ୍ୟ ବୀର ସଂଗ୍ରାମୀଙ୍କ ସ୍ମୃତି ଚାରଣ ପାଇଁ ପ୍ରତ୍ୟେକ ବର୍ଷ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଦଳ ପକ୍ଷରୁ ମାଥିଲି ଗୁଳିକାଣ୍ଡ ଦିବସ ପାଳନ କରାଯାଉଛି। ଏହି ଦିନରେ ବହୁ ସଂଗ୍ରାମୀ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ସହ ଆଲୋଚନା କରି ଏହି ସହିଦ ପୀଠର ବିକାଶ ପାଇଁ ଚେଷ୍ଟା କରିବି ବୋଲି ବିଧାୟକ ଶ୍ରୀ ମାଡ଼ି ପ୍ରକାଶ କରିଛନ୍ତି।