ଡ୍ରୋନ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଅନୁଧ୍ୟାନ କଲେ ଜାତିସଂଘ ଅଧିକାରୀ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ପୂର୍ବୋତ୍ତରକୁ ବାଦ ଦେଲେ ଦେଶର ପ୍ରଥମ ଜିଲ୍ଲା ହିସାବରେ କନ୍ଧମାଳ ଜିଲ୍ଲାରେ ଡ୍ରୋନ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଜନା ଲାଗୁ କରାଯାଇଛି । ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଅତ୍ୟାଧୁନିକ ଡ୍ରୋନ ଦ୍ୱାରା ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଛି । ଷ୍ଟାର୍ଟଅପ କମ୍ପାନୀ ରେଡ ୱିଙ୍ଗ ଦ୍ୱାରା ପ୍ରସ୍ତୁତ ଏହି ଅତ୍ୟାଧୁନିକ ତଥା ବାତାନୁକୂଳିତ ଡ୍ରୋନ ଘଣ୍ଟାକୁ ପ୍ରାୟ ୧୦୦ କିମି ଗତିରେ ଉଡ଼ି ପାରୁଥିବାବେଳେ ଏହା ମାଧ୍ୟମରେ ଦୁର୍ଗମ ଅଞ୍ଚଳକୁ ଜରୁରୀକାଳୀନ ଔଷଧ ଓ ଭ୍ୟାକ୍ସିନ ଇତ୍ୟାଦି ଖୁବ କମ ସମୟରେ ପହଞ୍ଚାଇ ଦିଆଯାଇ ପାରୁଛି । ଗତ ପ୍ରାୟ ୬ ମାସ ଧରି ଜିଲ୍ଲାର ବାଲିଗୁଡ଼ା, କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକରେ ଏହି ସେବା ସଫଳତାର ସହ କାର୍ଯ୍ୟକାରୀ ହେଉଛି । ଏହି ନୂତନ ପ୍ରୟୋଗର ବିଭିନ୍ନ ଦିଗ ଉପରେ ଗୁରୁବାର ଜାତିସଂଘର ପ୍ରକଳ୍ପ ସେବା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡ୍ରୋନ ସେବାର ନିୟନ୍ତ୍ରଣ କେନ୍ଦ୍ରକୁ ଯାଇ ଅଧିକାରୀମାନେ ଏସମ୍ପର୍କରେ ଆଲୋଚନା କରିବା ସହ ଏହାର କାର୍ଯ୍ୟକାରୀତା ଅନୁଧ୍ୟାନ କରିଥିଲେ । ବରିଷ୍ଠ ବୈଷୟିକ ପରାମର୍ଶଦାତା ଜ୍ୟୋତି ଶଙ୍କର ଚୌଧୁରୀ ଓ ବରିଷ୍ଠ ଅଧିକାରୀ ନୀଳକଣ୍ଠ ଭୋଇଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ପତି, ଆଶିଷ ଦତ୍ତାନୀ, ଫ୍ଲାଇଟ ଅପରେଟର ଆର‌୍ୟମାନ ସେନ, ପ୍ରବୀର ବଂଶଲ ଓ ଜନସ୍ୱାସ୍ଥ୍ୟ ସଂଯୋଜଖ ସୁଶ୍ରୀ ନୀଳାକ୍ଷୀ ପ୍ରମୁଖ ସାମିଲ ଥିଲେ । ଫ୍ଲାଇଟ ଅପରେଟର ଦେବାଶିଷ, ଶୁଭାଶିଷ, ମିଲନ ଓ ସୁଶାନ୍ତ ଡ୍ରୋନ ଚାଳନା ପ୍ରଦର୍ଶନ କରିଥିଲେ । ପରେ ବରିଷ୍ଠ ଅଧିକାରୀମାନେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁଙ୍କ ସହିତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ ।