ବିଭିନ୍ନ ମହଲରୁ ଥାନାଧିକାରୀଙ୍କୁ ଛୁଟୁଛି ସମ୍ବର୍ଦ୍ଧନାର ସୁଅ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜନସାଧାରଣ ପୁଲିସକୁ ମୁଖ୍ୟତଃ ଅପରାଧିକ ଘଟଣା ନିୟନ୍ତ୍ରଣ କରୁଥିବା କିମ୍ବା ସହରରେ ଆକ୍ସନ ମୋଡ଼ରେ ଦେଖିଥାନ୍ତି । ଅନେକ ସମୟରେ ପୁଲିସ ନିଜର ବ୍ୟବହାର ପାଇଁ ସମାଲୋଚନାର ଶିକାର ହେଉଥିବାବେଳେ ଦେବଗଡ଼ ଜିଲ୍ଲାରେ କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳିଛି । ପୁଲିସର ମାନବିକତା ଓ ଉତ୍ତମ ବ୍ୟବହାର ପ୍ରଶଂସାର ପାତ୍ର ପାଲଟିଛି ।

ମୃତ୍ୟୁଶୂନ୍ୟ ସଡ଼କ ଦୁର୍ଘଟଣା ସପ୍ତାହ ପାଳନ ଅବସରରେ ଦେବଗଡ଼ ଜିଲ୍ଲା ପୁଲିସ ଗ୍ରହଣ କରିଥିବା ଅଭିନବ ପ୍ରୟାସ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ଏହାସହ ଏହି ସମୟରେ ସଡ଼କ ଦୁର୍ଘଟଣାରେ କୌଣସି ଜୀବନ ହାନୀ ଘଟି ନଥିବାରୁ ପୁଲିସର ପ୍ରୟାସ ବାସ୍ତବ ରୂପ ନେବାରେ ସମର୍ଥ ହୋଇଛି । ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡ଼ିକ ଉପରେ ଯାନବାହାନ ଯାଞ୍ଚବେଳେ ମଦ୍ୟପ ଗାଡ଼ି ଚାଳକଙ୍କୁ ଗିରଫ ଏବଂ ରାଜପଥ ଉପରେ ବେନିୟମ ପାର୍କିଂ କରୁଥିବା ଯାନବାହାନ ଗୁଡ଼ିକୁ ଜୋରିମାନା ସହ ଆଗକୁ ପୁନରାବୃତ୍ତି ନକରିବାର ତାଗିଦ କରୁଥିବା ଦେଖିବାକୁ ମିଳିଥିଲା । ତେବେ ବିଳମ୍ବିତ ରାତିରୁ ଏସଡିପିଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଦେବଗଡ଼ ଆଦର୍ଶ ଥାନାଧିକାରୀ ସରୋଜ କୁମାର ସେଠୀ ଥାନା କର୍ମଚାରୀଙ୍କ ସହ ୪୯ ଓ ୫୩ ନମ୍ବର ଜାତୀୟ ରାଜପଥରେ ଦ୍ରୁତଗାମୀ ଯାନବାହାନ ଗୁଡ଼ିକର ଗତି ନିୟନ୍ତ୍ରଣ କରିବା ସହ ପାଣି ଦେଇ ଗାଡ଼ ଚାଳକଙ୍କ ମୁଁହ ଧୋଇବା ଓ ଗରମ ଚା’ ପ୍ରଦାନ କରୁଥିଲେ । ଜିଲ୍ଲା ପୁଲିସର ଏଭଳି ଅଭିନବ ପ୍ରୟାସ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ପୁଲିସର ଉଦାର ମନୋଭାବକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ପ୍ରଶଂସା କରିଥିଲେ । ଏହାସହ ଦେବଗଡ଼ ଆଦର୍ଶ ଥାନାଧିକାରୀ ସରୋଜ କୁମାର ସେଠୀଙ୍କୁ ସମ୍ବର୍ଦ୍ଧିତ କରୁଥିବା ଜଣାପଡ଼ିଛି ।