ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ସିଆରପିଏଫ ଡି/୧୨୭ ବାଟାଲିୟନ ଦ୍ୱାରା ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗୀ ପଞ୍ଚାୟତରେ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଣ୍ଡରଙ୍ଗୀ ନିକଟସ୍ଥ ଗୋଛାଗୁରା, ନବଗାଁ, ଶିରକି, ସାରଳା ଘାଟି ଓ ମାରଦିଘାଟି ଗାଁର ୪୦୦ରୁ ଅଧିକ ଗରିବ ପରିବାରକୁ ମାଗଣା ଔଷଧ, ସୋଲାର ଲାଇଟ ଓ କମଳ ବଣ୍ଟନ କରାଯାଇଥିବାରୁ ଉପକୃତ ହୋଇପାରିଛନ୍ତି । ଏହି ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ସିଆରପିଏଫ ୧୨୭ ବାଟାଲିୟନ କମାଣ୍ଡେଣ୍ଟ, ବିଭାଗୀୟ ଅଧିକାରୀ ଓ ଭଣ୍ଡରଙ୍ଗୀ ସରପଞ୍ଚଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି କମାଣ୍ଡେଣ୍ଟ ପ୍ରକାଶ କରିଛନ୍ତି ।