ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମି ବିକାଶର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଏବଂ ଭିତ୍ତିଭୂମିର ବିକାଶକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସମୀକ୍ଷା କରିଛନ୍ତି। କ୍ୟାନସର ଏବଂ ହାର୍ଟ ହସ୍ପିଟାଲ୍ ନିର୍ମାଣର ଅଗ୍ରଗତି, ଜିଲ୍ଲା ସଦର ଡାକ୍ତରଖାନା ପରିସରରେ ନୂତନ ରକ୍ତଭଣ୍ଡାର ନିର୍ମାଣ, ଲଇକେରାରେ ଡାଇଗ୍ନୋଷ୍ଟିକ ସେଣ୍ଟର ପ୍ରତିଷ୍ଠା, ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ଆଦିର ଶ୍ରୀ ଦାସ ସମୀକ୍ଷା କରିଥିଲେ। ସେହିପରି ବୁର୍ଲା ଡାକ୍ତରଖାନାରେ ଝାରସୁଗୁଡ଼ା ଜିଲ୍ଲାର ଲୋକଙ୍କ ସହାୟତା ସକାଶେ ଝାରସୁଗୁଡ଼ା ଭବନ କାର୍ଯ୍ୟକ୍ଷମ, ମଙ୍ଗଳବଜାର ଠାରେ ଥିବା ପୁରୁଣା ଜିଲ୍ଲା ସଦର ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟ ଷ୍ଟାଫ ଅଭାବ ସମସ୍ୟା ଦୂର କରି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସଦର ଡାକ୍ତରଖାନା ଡାଇଲିସିସ କେନ୍ଦ୍ରରେ ୫ଟି ଡାଇଲିସିସ ମେସିନ ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଏହାସହ ବହୁ ଦିନରୁ ଦାବି ହୋଇ ଆସୁଥିବା ଏମ୍ଆର୍ଆଇ, ସିଟିସ୍କାନ ମେସିନ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଥିଲେ। ପାଇପ ଲାଇନ କାମ ସଂପୂର୍ଣ୍ଣ କରି ଜିଲ୍ଲା ମୁଖ୍ୟ ସଦର ଡାକ୍ତରଖାନାରେ ଜଳ ଯୋଗାଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ମାଣାଧିନ ଚାରି ଲେନ ବିଶିଷ୍ଟ ରାସ୍ତା ଶୀଘ୍ର ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ନିକଟରେ କେତେକ ଡାକ୍ତରଙ୍କ ପୋଷ୍ଟିଂ ମଧ୍ୟ ହୋଇ ସାରିଛି। ଅନ୍ୟାନ୍ୟ ଆବଶ୍ୟକ କର୍ମଚାରୀ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତ କରିବା ସପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ମତ ରଖିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ଏନଏଚ୍ଏମ୍ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବୁଲୁନାଥ ସାହୁ, ପୂର୍ତ ବିଭାଗର ନିର୍ବାହୀ ଅଧିକାରୀ ପ୍ରଦୀପ୍ତ ନାଥ, ପୂର୍ବତନ ନଗରପାଳ ତାପସରାୟ ଚୌଧୁରୀ, ହରିଶ ଗଣତ୍ରା, ସନ୍ଦୀପ ଅୱସ୍ଥି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।