ଦଶମନ୍ତପୁରରେ ବ୍ୟାପିଲା ଝାଡ଼ାବାନ୍ତି, ସ୍ଥିତି ପରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

କୋରାପୁଟ,ଏନ୍ଏନ୍ଏସ୍: ଡରାଉଛି ଝାଡ଼ାବାନ୍ତି । ରାୟଗଡ଼ା ଜିଲ୍ଲାର କାଶୀପୁର ପରେ କୋରାପୁଟର ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଦଶମନ୍ତପୁର ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ଥିତି ପରଖିଛନ୍ତି ।
ଦଶମନ୍ତପୁରରେ ବ୍ୟାପିଲା ଝାଡ଼ାବାନ୍ତି

ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତେବେ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ନିକଟବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ବିଶୁଦ୍ଧ ପାନୀୟ ଜଳ ଟାଙ୍କି ସଫା କରିବା ସହ ରାସ୍ତାଘାଟର ଉଭୟ ପାର୍ଶ୍ବରେ ବ୍ଲିଚିଂ ପାଉଡର ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛିଦିନ ଧରି ରାୟଗଡ଼ା ଜିଲ୍ଲାର କାଶୀପୁର ନିକଟବର୍ତ୍ତୀ ଅଞ୍ଚଳକୁ ଲାଗିଥିବା କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ହାତିମୁଣ୍ଡା ଗ୍ରାମରେ ଝାଡାବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ସେହିଭଳି ଛତାମ୍ୱ ଗ୍ରାମରେ ୧୧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ୩୨ ବର୍ଷୀୟ ଗର୍ଭବତୀ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।