ନୀରବ ମୋଦୀଙ୍କ ୨୫୩ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,ଏଜେନ୍ସି: ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଶକ୍ତ ଝଟକା । ନୀରବ ମୋଦୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେନ୍ଦ୍ରୀୟ ସଂସ୍ଥା ଗତକାଲି(ଶୁକ୍ରବାର) ହଂକଂରେ ନୀରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଛି । ଏହି ସମ୍ପତ୍ତିରେ ହୀରା, ଅଳଙ୍କାର ଏବଂ ବ୍ୟାଙ୍କ ସଞ୍ଚିତ ଅର୍ଥରାଶି ରହିଛି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ନୀରବ ମୋଦି ଏବେ ବ୍ରିଟେନ ଜେଲରେ ବନ୍ଦୀ ଅଛନ୍ତି । ଭାରତ ସରକାର ନୀରବ ମୋଦିଙ୍କୁ ଭାରତ ଆଣିବାକୁ ଚେଷ୍ଟା କରୁଛନ୍ତି । ପିଏନବି ଘୋଟାଲାରେ ଆର୍ଥିକ ଅପରାଧ ଏବଂ ଠକେଇକୁ ନେଇ ସିବିଆଇ ଯାଞ୍ଚ କରୁଛି । ନୀରବ ମୋଦିଙ୍କ ବ୍ୟତୀତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଆଇପିଏଲର ଫାଉଣ୍ଡର ଲଳିତ ମୋଦି ବର୍ତ୍ତମାନ ବ୍ରିଟେନରେ ରହୁଛନ୍ତି । ସିବିଆଇ ଏହି ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ, ନୀରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକସୀଙ୍କ ସମେତ ଅନ୍ୟ ଲୋକଙ୍କ ବିରୋଧରେ ମୁମ୍ବାଇରେ ପିଏନବି ବ୍ୟାଙ୍କରୁ ୨ ଅରବ ଡଲାରର ଠକେଇ ଅଭିଯୋଗୁଁ ମନିଲଣ୍ଡରିଂ ମାମଲା ଚାଲିଛି । ତେବେ ଏହା ପୂର୍ବରୁ ଗତ ମାର୍ଚ୍ଚ ୨୩ ତାରିଖରେ ବିଜୟ ମାଲ୍ୟା, ନୀରବ ମୋଦୀ ଓ ମେହଲୁ ଚୋକସିଙ୍କ ୧୯,୧୧୧.୨୦ କୋଟି ସମ୍ପତ୍ତି ବ୍ୟାଜାପ୍ତ କରାଯାଇଥିଲା । ପିଏମଏଲଏ ଅଧିନରେ ୨୦୨୨ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ତିନି ପଳାତକ ବ୍ୟବସାୟୀଙ୍କ ୧୯,୧୧୧.୨୦ କୋଟି ସମ୍ପତ୍ତି ବ୍ୟାଜାପ୍ତ ହୋଇଛି ।