ଦାରିଙ୍ଗବାଡ଼ି ବ୍ଲକରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗସ୍ତରେ ଆସି କନ୍ଧମାଳ ଷ୍ଟାଡିୟମ୍ ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟ ପରିସରରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ବ୍ଲକ ସ୍ତରରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଥିଲେ।

ଅତିଥି ଭାବେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲସ ନାୟକ, ଏମପି ପ୍ରତିନିଧି କ୍ଷେତ୍ରିବଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ପ୍ରଥମେ ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିବା ବେଳେ ପରେ ସେ ଗ୍ରୀନବାଡ଼ି, ଶ୍ରାନିକେତା, ସିମନବାଡ଼ି ଓ କିରୀକୁଟିରେ କାର୍ଡ ବଣ୍ଟନ ହୋଇଥିଲା।

ଉକ୍ତ ସ୍ମାର୍ଟ କାର୍ଡ ବଣ୍ଟନ ହେବା ପରେ ଅଞ୍ଚଳର ରହିଥିବା ଗରିବ ରାସନ କାର୍ଡ ଧାରୀ ମାନେ ସ୍ୱାସ୍ଥ୍ୟ ସୁବିଧା ବିନାମୂଲ୍ୟରେ ପାଇପାରିବେ ବୋଲି ମନ୍ତ୍ରୀ କହିଥିଲେ। ଏଥି ସହିତ ମହିଳାଙ୍କ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷ ଟଙ୍କାର ସୁବିଧା ମିଳିବ ବୋଲି ମନ୍ତ୍ରୀ କହିଥିଲେ। ବାକି ରହିଥିବା ସ୍ମାର୍ଟ କାର୍ଡ ପର୍ଯ୍ୟାୟ କ୍ରମେ ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି କହିଥିଲେ।