କଟକରୁ ଧରାପଡିଲା ତେଲେଙ୍ଗାନାର ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ ଉମର ଫାରୁକ

କଟକ,ଏନ୍ଏନ୍ଏସ୍: ଗିରଫ ହେଲା କୁଖ୍ୟାତ ଅପରାଧୀ ଉମର ଫାରୁକ୍। ଦୁଇ ବର୍ଷ ଧରି ତେଲେଙ୍ଗାନାରୁ ଫେରାର ଥିବା ବେଳେ ଗତକାଲି(ବୁଧବାର) ରାତିରେ ଫାରୁକକୁ ଚଳନ୍ତା ଟ୍ରେନରୁ ଗିରଫ କରିଛି କଟକ ରେଳବାଇ ପୁଲିସ। କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଯାଉଥିଲା ବେଳେ କଟକ ଷ୍ଟେସନରୁ ଗିରଫ କରିଛି ରେଳବାଇ ପୁଲିସ।

ସୂଚନା ଅନୁସାରେ, ଫାରୁକ୍ ଏକ ହତ୍ୟା ମାମଲାରେ ଦୁଇ ବର୍ଷ ହେବ ତେଲେଙ୍ଗାନାର ରାଏ ଦୁର୍ଗମ ଥାନା ଅଞ୍ଚଳରୁ ଫେରାର ହୋଇଯାଇଥିବା ବେଳେ ଫାରୁକକୁ ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ ଘୋଷଣା କରିଥିଲା ସ୍ଥାନୀୟ ପୁଲିସ। ତେବେ ଅପରାଧ ଘଟାଇ ଫେରାର ହେବା ପରେ ଫାରୁକକୁ ଗିରଫ କରିବା ପୁଲିସ ପାଇଁ ସୃଷ୍ଟି ହୋଇଥିଲା ବଡ଼ ଚାଲେଞ୍ଜ।

ଅପରାଧୀମାନେ ଫେରାର ପାଇଁ ଟ୍ରେନକୁ ମୁଖ୍ୟ ପନ୍ଥା ବାଛିଥିବାବେଳେ ପୁଲିସ ସିଧାସଳଖ ଆର୍‌ପିଏଫ୍‌କୁ ଏନେଇ ସୂଚନା ଦେଇଥିଲା। ତେବେ ଅନେକ ଦିନର ଲୁଚକାଳି ଖେଳ ପରେ ଚଳନ୍ତା ଟ୍ରେନରୁ ଗିରଫ ହୋଇଛି ଫାରୁକ୍। ହାର୍ଡକୋର ଅପରାଧୀ ଫାରୁକକୁ ଗିରଫ କରିବା ପରେ ତେଲେଙ୍ଗାନାରୁ ଆସିଥିବା ଏକ ସ୍ୱତନ୍ତ୍ର ପୁଲିସକୁ ହସ୍ତାନ୍ତର କରିଛି କଟକ ରେଳବାଇ ପୁଲିସ।