ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆହତ, ଚାପା ଉତ୍ତେଜନା ଜାରି

ଶ୍ରୀନଗର,ଏଜେନ୍ସି: ଉତ୍ତର କାଶ୍ମୀର କୁପଓ୍ବାଡା ଜିଲ୍ଲାରେ ଅଘଟଣ। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ସାଧାରଣ ଜନତା ଆହତ ହୋଇଥିବା ଅଭିଯୋଗ ହୋଇଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛିିି। ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଏହି ଅଘଟଣା ଘଟିଥିବା ସୂଚନା ମିଳିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ କୌଣସି ଅପ୍ରିତିକର ସ୍ଥିତି ଏଡାଇବା ପାଇଁ ବ୍ୟାପକ ସୁରକ୍ଷା ବଳ ମୂତୟନ କରାଯାଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମସଜିଦରେ ଲୋକମାନେ ପ୍ରାର୍ଥନା (ନମାଜ ପାଠ) କରୁଥିବା ବେଳେ ସୁରକ୍ଷା ବଳ ପ୍ରବେଶ କରିବା ସହ ସେମାନଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ଭିଡିଓ ଉତ୍ତୋଳନ ପଛରେ କଣ କାରଣ ତା ସୁରକ୍ଷାକର୍ମୀମାନେ ଅବଗତ ନକରିବାରୁ ସେଠାରେ ଉପସ୍ଥିତ ଜଣେ ବୟସ୍କ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ। ପରେ କିଛି ସ୍ଥାନୀୟ ଯୁବକ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇ ସ୍ଲୋଗାନ ଦେଇଥିଲେ।

ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇବା ଫଳରେ ସୁରକ୍ଷା ବଳ ବିରୋଧକାରୀଙ୍କ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏଥିରେ 2ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ବ୍ୟବସାୟୀମାନେ ଘଟଣାର ପ୍ରତିବାଦ ସ୍ବରୂପ ଦୋକାନ ବଜାର କରିଦେଇଛନ୍ତି। କୌଣସି ଅପ୍ରିତିକର ସ୍ଥିତି ଉପୁଯିବା ଆଶଙ୍କାରେ ସୁରକ୍ଷା ବଳର ନିୟୋଜନକୁ ମଧ୍ୟ ବୃଦ୍ଧି କରାଯାଇଛି।