ଯୁବକର ଝୁଲନ୍ତା ମୃତ ଦେହ ଠାବ, ହତ୍ୟା ସନ୍ଦେହ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ରଘୁନାଥଗଞ୍ଜ ନଦୀ ପଠା ଗଛରୁ ଜଣେ ଯୁବକର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଜଗନ୍ନାଥ ପଲେଇଙ୍କ ପୁଅ ଆନନ୍ଦ ପଲେଇ(୩୦)। ପେଷାରେ ସେ ଜଣେ ମୋଟର ସାଇକେଲ ମିସ୍ତ୍ରୀ। ତାଙ୍କର ଝାଡଖଣ୍ଡ ଠାରେ ଏକ ଗ୍ୟାରେଜ ଅଛି।
ସୂଚନା ଅନୁସାରେ ଗତକାଲି ରାତିରେ ସେହି ଗ୍ରାମର କିଛି ଯୁବକମାନଙ୍କ ସହ ସେ ନଦୀ ତଟ କଦଳୀ ବାଡ଼ିରେ ଭୋଜି କରିଥିଲେ। ସେଠାରେ ସେମାନେ ମଦ୍ୟପାନ ମଧ୍ୟ କରିଥିଲେ।

ଉକ୍ତ ଯୁବକଙ୍କର ୨ଟି ସ୍ତ୍ରୀ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ସହ ପାରିବାରିକ କଳହ ଯୋଗୁଁ ଯୁବକଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି। କିଛି ଦିନ ପୂର୍ବରୁ ସେ ଜେଲରେ ମଧ୍ୟ ଥିଲେ। ଗତ ମାସ ୧୬ ତାରିଖରେ ପ୍ରଥମ ସ୍ତ୍ରୀ ତାଙ୍କୁ ବେଲରେ ମୁକୁଳାଇଥିଲେ। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି। ସକାଳୁ ନଦୀ ତଟକୁ ଗ୍ରାମବାସୀ ଗାଧୋଇ ଯାଇଥିବାବେଳେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ବାରିପଦା ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ଖବରପାଇ ସଙ୍ଗେ ସଙ୍ଗେ ବାରିପଦା ଟାଉନ ଥାନା ପୁଲିସ, କୁଳିଅଣା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାକୁ ନେଇ କୁଳିଅଣା ଥାନାରେ ୧୦/୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ସାଇଣ୍ଟିଫିକ ଦଳର ଅଧିକାରୀ ଯଶୋବନ୍ତ ଦେହୁରୀ ସୂଚନା ଦେଇଛନ୍ତି।