କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବରଗାଁ,କେରମେଲି,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ ଜଙ୍ଗଲ ପାଖ ରତାଖଣ୍ଡି ଜୋର ନିକଟରେ ଥିବା ଏକ ଗଛରୁ ଜଣେ କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗାଁର କେଶବ ମେହେର। ଘଟଣାସ୍ଥଳରେ ତୁରେକେଲା ପୁଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ସନ୍ଧ୍ୟାରୁ କେଶବ ନିଜ ବାଇକ ଯୋଗେ ଘରୁ ବାହାରିଥିଲେ । ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଆଜି ସକାଳେ ମହଖଣ୍ଡ ଜଙ୍ଗଲ ପାଖ ରତାଖଣ୍ଡି ଜୋର ନିକଟସ୍ଥ ଏକ ଗଛରେ ତାଙ୍କର ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପାଇ କେଶବଙ୍କ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି। ତେବେ ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ତାଙ୍କୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ପରିଵାର ଲୋକେ ସନ୍ଦେହ କରୁଛନ୍ତି । ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ପରେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଦନ୍ତ କରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ମୃତକଙ୍କ ପୁଅ ତୁରେକେଲା ଥାନାରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।