ମରକ୍କୋ ସଫଳତାରେ ବିଦେଶୀ ଖେଳାଳିଙ୍କ ହାତ

ଦୋହା,ଏଜେନ୍ସି: ଚଳିତ ଫିଫା ବିଶ୍ୱକପ୍‌ର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟ ଶନିବାର ଶେଷ ହୋଇଥିବା ବେଳେ ଫାଇନାଲ୍ ପାଇଁ କେଉଁ ଦଳ ସହ କାହା ବିପକ୍ଷରେ ଲଢ଼େଇ କରିବ, ତାହା ସ୍ପଷ୍ଟ ହୋଇଯାଇଛି । କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟରେ ଦୁଇଟି ପ୍ରମୁଖ ଦଳ ବ୍ରାଜିଲ୍ ଓ ପର୍ତ୍ତୁଗାଲ୍ ବିଦାୟ ନେବା ଫଳରେ ଯଥାକ୍ରମେ ନେମାର୍ ଓ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ ନିରାଶ ହେବାକୁ ପଡ଼ିଛି । ବିଶେଷକରି ପର୍ତ୍ତୁଗାଲ୍ ଦଳର ଅଧିନାୟକ ରୋନାଲ୍‌ଡୋ ନିଜ ଦଳକୁ ବିଶ୍ୱକପ୍ ଟାଇଟଲ୍ ଦେବାରେ ବିଫଳ ହେବାରୁ ମ୍ୟାଚ୍ ପରେ ମ୍ରିୟମାଣ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଦଳ ମରକ୍କୋ ବିପକ୍ଷରେ ୧-୦ ଗୋଲ୍‌ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଥିଲା । ଏଥିସହ ମରକ୍କୋ ପ୍ରଥମ ଆଫ୍ରିକୀୟ ଓ ଆରବୀୟ ଦଳ ଭାବେ ସେମିଫାଇନାଲ୍‌ରେ ପହଞ୍ଚି ଐତିହାସିକ ସଫଳତା ହାସଲ କରିଛି । ଏହି ସଫଳତା ପଛରେ ଦଳରେ ସାମିଲ୍ ଥିବା ବିଦେଶୀ ଖେଳାଳିଙ୍କର ସବୁଠାରୁ ବଡ଼ ହାତ ରହିଛି ।

ଚଳିତ ବିଶ୍ୱକପ୍‌ରେ ଭାଗ ନେଉଥିବା ଦଳର ୨୬ ଜଣ ଖେଳାଳିଙ୍କ ମଧ୍ୟରୁ ୧୪ ଜଣ ବିଦେଶୀ ଖେଳାଳି ଅଛନ୍ତି । କତାରରେ ଚାଲିଥିବା ବିଶ୍ୱକପ୍‌ରେ ଭାଗ ନେଉଥିବା ଅନ୍ୟାନ୍ୟ କୌଣସି ଦଳରେ ଏତେ ପରିମାଣରେ ବିଦେଶୀ ଖେଳାଳି ନାହାନ୍ତି । ୟୁରୋପର ବିଭିନ୍ନ ଦେଶରୁ ଆସି ମରକ୍କୋରେ ବସବାସ କରୁଥିବା ପ୍ରବାସୀମାନେ ଦେଶର ଫୁଟବଲ୍ ସ୍ତରକୁ ବେଶ୍ ଆଗକୁ ନେଇପାରିଛନ୍ତି । ଦଳରେ ସାମିଲ୍ ଥିବା ଗୋଲ୍‌କିପର୍ ୟୁନେସ୍ ବୁନୋ କାନାଡା ଜନ୍ମିତ ଓ ସେ ଚଳିତ ବିଶ୍ୱକପ୍‌ରେ ପ୍ରତିପକ୍ଷ ଖେଳାଳିମାନେ ତାଙ୍କୁ କେବଳ ଥରୁଟିଏ ମାତ୍ର ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି । ସେହିପରି ମାଡ୍ରିଡ୍‌ରେ ଜନ୍ମଗ୍ରହଣ କରିଥିବା ଅଚରଫ୍ ହକିମି ରାଇଟ୍ ଫ୍ଲାଙ୍କ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହାଛଡ଼ା ନେଦରଲାଣ୍ଡ୍‌ସରେ ଜନ୍ମଗ୍ରହଣ କରିଥିବା ସୋଫୟାନ୍ ଅମରାବତ୍ ମିଡ୍‌ଫିଲ୍‌ଡରେ ପ୍ରତିପକ୍ଷ ଖେଳାଳିଙ୍କୁ ମାତ୍ ଦେବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବେଳେ ବାମ ପଟରେ ସୋଫିନ୍ ବୁଫାଲ୍ ତାଙ୍କୁ ମିଳିଥିବା ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି ।

ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଦଳ ୧୯୯୮ ଫ୍ରାନ୍ସ ସଂସ୍କରଣରେ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ୍ କରିଥିଲା । ଏହାପରେ ଦଳ ପକ୍ଷରୁ ବେଲଜିୟମ୍‌, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ୍‌ସ ଓ ସ୍ପେନ୍ ପରି ଦେଶରେ ଜନ୍ମଗ୍ରହଣ କରିଥିବା ଫୁଟବଲର୍‌ମାନେ ଜାତୀୟ ଦଳରେ ସାମିଲ୍ ହୋଇ ଦଳ ପାଇଁ ବିଶେଷ ସଫଳତା ଅର୍ଜନ କରିଆସିଛନ୍ତି । ୟୁରୋପର ଦେଶଗୁଡ଼ିକ ମଧ୍ୟରେ ମରକ୍କୋ ଏପରି ଏକ ଦେଶ ଯେଉଁଠାରେ ଅନ୍ୟ ଦେଶ ତୁଳନାରେ ଅଧିକ ପ୍ରବାସୀ ବସବାସ କରୁଛନ୍ତି । ଏହି ସଂଖ୍ୟା ପାଖାପାଖି ୫ ନିୟୁତ ହେବ ବୋଲି ଆକଳନ କରାଯାଇଛି । ସେହିପରି ଏହି ଦେଶକୁ ୟୁରୋପରୁ ଆସୁଥିବା ବିଦେଶୀମାନଙ୍କ ମଧ୍ୟରେ ୧୮ରୁ ୩୫ ବର୍ଷ ବୟସ୍କଙ୍କ ସଂଖ୍ୟା ୬୧ ପ୍ରତିଶତ ବୋଲି ଦେଶର ଏକ ସରକାରୀ ସଂସ୍ଥା କରିଥିବା ସର୍ଭେରୁ ଜଣାପଡ଼ିଛି । ଦେଶର ଫୁଟବଲ୍ ମହାସଂଘ ଦି ରୟାଲ୍ ମରକ୍କାନ୍ ଫୁଟବଲ୍ ଫେଡେରେସନ୍ ୟୁରୋପର ବିଭିନ୍ନ ସ୍ଥାନରେ ପ୍ରତିଭା ଚୟନ କରିବା ସହ ଯେଉଁ ଖେଳାଳିମାନଙ୍କର ମରକ୍କୋ ପ୍ରତି ଦୁର୍ବଳତା ରହିଛି, ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଅନ୍ତର୍ଜାତୀୟ ସ୍ତରର ଖେଳାଳିରେ ପରିଣତ କରିଆସିଛି ।

ଯେପରିକି ନେଦରଲାଣ୍ଡ୍‌ସରେ ଜନ୍ମଗ୍ରହଣ କରିଥିବା ହକିମ୍ ଜିୟେଚ୍ ଉଭୟ ମରକ୍କୋ ଓ ନେଦରଲାଣ୍ଡ୍‌ସ କୋଚ୍‌ଙ୍କ ସହ ଆଲୋଚନା କରିବା ପରେ ଶେଷରେ ମରକ୍କୋ ପକ୍ଷରୁ ପ୍ରତିନିଧିତ୍ୱ କରିବା ସକାଶେ ନିଷ୍ପତ୍ତି ନେଇଥିଲେ । ଜିୟେଚ୍‌ଙ୍କ ପରି ନେଦରଲାଣ୍ଡ୍‌ସରେ ଜୁନିଅର୍ ସ୍ତରରେ ଖେଳିଥିବା ଅମରାବତ୍ ମଧ୍ୟ ପାରିବାରିକ କାରଣରୁ ମରକ୍କୋ ପକ୍ଷରୁ ଖେଳିଆସୁଛନ୍ତି । ଏହାଛଡ଼ା କୋଚ୍ ୱାଲିଦ୍ ରିଗ୍ରେଗୁଇ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଆବଶ୍ୟକ ପଡ଼ିଲେ ମରକ୍କୋ ପାଇଁ ଯେକୌଣସି ସ୍ତରକୁ ବି ଯାଇପାରିବେ ବୋଲି କହିଛନ୍ତି । କାରଣ ଏହି ଦେଶର ପାଣି ପବନରେ ସେ ବଢ଼ିଛନ୍ତି ଓ ଦେଶ ପାଇଁ ଲଢ଼ିବା ତାଙ୍କର ପରମ କର୍ତ୍ତବ୍ୟ ବୋଲି କୋଚ୍ କହିଛନ୍ତି ।