ଦ୍ୱିତୀୟ ଟେଷ୍ଟ୍‌: ବିଜୟଠାରୁ ୧୫୭ ରନ୍ ଦୂରରେ ପାକିସ୍ତାନ

ମୁଲତାନ,ଏଜେନ୍ସି: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ବିଜୟଠାରୁ ୧୫୭ ରନ୍ ଦୂରରେ ରହିଛି । ମ୍ୟାଚ୍‌ର ତୃତୀୟ ଦିନରେ ରବିବାର ଭ୍ରମଣକାରୀ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୨୭୫ ରନ୍ କରି ଅଲ୍‌ଆଉଟ୍ ହେବା ଫଳରେ ପାକିସ୍ତାନକୁ ୩୫୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିବା ପରେ ପାକିସ୍ତାନ ଏହାର ପିଛା କରି ଖେଳ ଶେଷ ବେଳକୁ ୪ ୱିକେଟ୍ ବିନିମୟରେ ୧୯୮ ରନ୍ କରିଛି । ସାଉଦ୍ ଶକିଲ୍ ୫ଟି ଚୌକା ସହ ୫୪ ଓ ଫହିମ୍ ଅଶରଫ୍ ୩ ରନ୍ କରି ଅପରାଜିତ ଅଛନ୍ତି ।

ଦୁଇ ଓପନର ଅବଦୁଲ୍ଲା ଶଫିକ୍ ଓ ମହମ୍ମଦ ରିଜୱାନ୍ ୬୬ ରନ୍ ଯୋଡ଼ିବା ପରେ ବ୍ୟାଟିଂ କ୍ରମରେ ଉନ୍ନତି ପାଇଥିବା ରିଜୱାନ୍ ୨ଟି ଚୌକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମ ଇନିଂସରେ ଅର୍ଦ୍ଧଶତକ କରିଥିବା ପାକିସ୍ତାନ ଅଧିନାୟକ ବାବର୍ ଆଜମ୍ ମାତ୍ର ୧ ରନ୍ କରିଥିବା ବେଳେ ଇମାମ୍‌-ଉଲ୍‌-ହକ୍ ୭ଟି ଚୌକା ସହ ୬୦ ରନ୍‌ର ବଳିଷ୍ଠ ଇନିଂସ ଖେଳିଥିଲେ । ଏହାଛଡ଼ା ସେ ଚତୁର୍ଥ ୱିକେଟ୍‌ରେ ଶକିଲ୍‌ଙ୍କ ସହ ୧୦୮ ରନ୍‌ର ଭାଗୀଦାରୀ କରି ଦଳକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ ।

ଏହା ପୂର୍ବରୁ ରବିବାର ସକାଳେ ଇଂଲଣ୍ଡ ତା’ର ପୂର୍ବଦିନର ସ୍କୋର୍ ୨୦୨/୫ରୁ ଖେଳ ଆରମ୍ଭ କରିଥିଲା । ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ହ୍ୟାରୀ ବ୍ରୁକ୍ (୭୪) ଓ ଅଧିନାୟକ ବେନ୍ ଷ୍ଟୋକ୍ସ (୧୬) ଷଷ୍ଠ ୱିକେଟ୍‌ରେ ୧୦୧ ରନ୍‌ର ଭାଗୀଦାରୀ କରିବାରେ ସକ୍ଷମ ହୋଇଥିଲେ । ବ୍ରୁକ୍ ୧୪ଟି ଚୌକା ଓ ଗୋଟିଏ ଛକା ସହ ୧୦୮ ଏବଂ ଷ୍ଟୋକ୍ସ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୪୧ ରନ୍ କରିଥିଲେ । ଦଳ ୬୪.୫ ଓଭର୍‌ରେ ଅଲ୍‌ଆଉଟ୍ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ଅବରାର୍ ଅହମ୍ମଦ ୪ଟି ଓ ଜାହିଦ୍ ମାହମୁଦ୍ ୩ଟି ୱିକେଟ୍ ନେଇଥିଲେ ।