ମହିଳା କ୍ରିକେଟ୍‌: ଦ୍ୱିତୀୟ ଟି-୨୦ରେ ଭରପୂର ରୋମାଞ୍ଚ, ସିରିଜ୍ ବରାବର

ମୁମ୍ବାଇ,୧୧ା୧୨/ଏଜେନ୍ସି: ଚଳିତ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ଟି ୧-୧ରେ ବରାବର ହୋଇଛି । ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ବିଜୟୀ ହୋଇଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମେ ବ୍ୟାଟିଂ ପାଇ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ୱିକେଟ୍ ବିନିମୟରେ ୧୮୭ ରନ୍ କରିଥିଲା । ଭାରତ ଏହାର କଡ଼ା ଜବାବ ଦେଇ ବିଜୟ ସ୍ଥିତିରେ ପହଞ୍ଚିଥିଲେ ହେଁ ମ୍ୟାଚ୍‌ଟି ଟାଇ ହୋଇଥିଲା । ତେଣୁ ସୁପର୍ ଓଭର୍‌ର ସହାୟତା ନିଆଯାଇଥିଲା ।

ଏଥିରେ ପ୍ରଥମେ ବ୍ୟାଟିଂ କରି ଭାରତ ଗୋଟିଏ ୱିକେଟ୍ ବିନିମୟରେ ୨୦ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ସ୍ମୃତି ମନ୍ଧାନା ୧୩ ଓ ରିଚା ଘୋଷ ୬ ରନ୍ କରିଥିଲେ । ଡେବ୍ୟୁ କରିଥିବା ପେସର୍ ହିଦର୍ ଗ୍ରାହାମ୍ ୨ଟି ଛକା ସହ ୨୦ ରନ୍ ବ୍ୟୟ କରିଥିଲେ । ଅଷ୍ଟ୍ରେଲିଆ ସୁପର୍ ଓଭର୍‌ରେ ଗୋଟିଏ ୱିକେଟ୍ ହରାଇ ୧୭ ରନ୍ କରିବା ଫଳରେ ଭାରତ ବିଜୟୀ ହୋଇଥିଲା । ଉକ୍ତ ଓଭର୍‌ଟି ଭାରତ ପକ୍ଷରୁ ରେଣୁକା ସିଂହ ଠାକୁର ବୋଲିଂ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର ଅଧିନାୟିକା ଆଲିସା ହିଲି ଓ ବେଥ୍ ମୁନୀ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ଦଳୀୟ ସ୍କୋର୍ ୨୯ ଥିବା ବେଳେ ହିଲି ୫ଟି ଚୌକା ମାଧ୍ୟମରେ ୨୫ ରନ୍ କରି ଆଉଟ୍ ହୋଇଥିଲେ । ଭାରତକୁ ସଅଳ ୱିକେଟ୍ ମିଳିଥିଲେ ମଧ୍ୟ ମୁନୀ ଓ ତହଲିଆ ମ୍ୟାକ୍‌ଗ୍ରାଥ୍ ଆଉ କୌଣସି ୱିକେଟ୍ ପଡ଼ିବାକୁ ଦେଇନଥିଲେ । ଉଭୟ ଭାରତୀୟ ବୋଲରଙ୍କୁ ନିର୍ଧୂମ୍ ପ୍ରହାର କରି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ । ଇତିମଧ୍ୟରେ ଉଭୟ ବ୍ୟାଟ୍ସଓମ୍ୟାନ୍ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ଅବିଭାଜିତ ୧୫୮ ରନ୍‌ର ଭାଗୀଦାରୀ ହୋଇଥିଲା, ଯାହାକି ଏହି ଫର୍ମାଟ୍‌ରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ । ମୁନୀ ମାତ୍ର ୫୪ ବଲ୍ ଖେଳି ୮୨ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କର ଏହି ଆକର୍ଷଣୀୟ ଇନିଂସରେ ୧୩ଟି ଚୌକା ସାମିଲ୍ ଥିଲା । ସେହିପରି ମ୍ୟାକ୍‌ଗ୍ରାଥ୍ ମାତ୍ର ୫୧ ବଲ୍ ଖେଳି ୧୦ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୭୦ ରନ୍ କରିଥିଲେ । ଭାରତ ପକ୍ଷରୁ ଏକମାତ୍ର ୱିକେଟ୍‌ଟି ଦୀପ୍ତି ଶର୍ମାଙ୍କୁ ମିଳିଥିଲା ।

ବ୍ୟାଟିଂରେ ଦଳର ଦୁଇ ଓପନର ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା ୭୬ ରନ୍ ଯୋଡ଼ି ଅଷ୍ଟ୍ରେଲିଆ ଇନିଂସର ଦମ୍‌ଦାର ଜବାବ ଦେଇଥିଲେ । ୨୩ ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ସହ ୩୪ ରନ୍ କରି ଶେଫାଳୀ ଆଉଟ୍ ହେବା ପରେ ଜେମିମା ରଡରିଗ୍ସ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ । ତୃତୀୟ ୱିକେଟ୍‌ରେ ୬୧ ରନ୍ ଯୋଡ଼ି ମନ୍ଧାନା ଓ ଅଧିନାୟିକା ହରମନ୍‌ପ୍ରୀତ୍ ଦଳକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ । ମନ୍ଧାନା ୪୯ ବଲ୍‌ରେ ୯ ଚୌକା ଓ ୪ ଛକା ସହ ୭୯ ଏବଂ ହରମନ୍‌ପ୍ରୀତ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୧ ରନ୍ କରିଥିଲେ ।

ଅନ୍ତିମ ଓଭର୍‌ରେ ଦଳ ବିଜୟ ପାଇଁ ୧୪ ରନ୍ ଆବଶ୍ୟକ କରୁଥିବା ବେଳେ ଦେବିକା ବୈଦ୍ୟ ଦୁଇଟି ଚୌକା ଲଗାଇ ମ୍ୟାଚ୍‌କୁ ସୁପର୍ ଓଭର୍‌କୁ ନେଇଥିଲେ । ସେ ୫ଟି ବଲ୍‌ରେ ୨ଟି ଚୌକା ସହ ୧୧ ରନ୍ କରିଥିବା ବେଳେ ରିଚା ମାତ୍ର ୧୩ ବଲ୍‌ରେ ୩ଟି ଛକା ସହ ୨୬ ରନ୍ କରି ଅପରାଜିତ ଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଗ୍ରାହାମ୍ ୩ଟି ୱିକେଟ୍ ନେଇଥିଲେ । ସିରିଜ୍‌ର ତୃତୀୟ ମ୍ୟାଚ୍ ଆସନ୍ତା ୧୪ରେ ଖେଳାଯିବ ।