ନଭେମ୍ବର ୧୯ରେ ଗୁରୁ ନାନକ ଜୟନ୍ତୀ: ଆଜିଠୁ ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ,ଏଜେନ୍ସି: ଦିନକ ପରେ ଗୁରପୂରବ। ଶିଖ୍‌ ସଂପ୍ରଦାୟର ଶ୍ରଦ୍ଧାଳୁଙ୍କ ପାଇଁ କେନ୍ଦ୍ର ସରକାର ବୁଧବାର ଠାରୁ ପାକିସ୍ତାନର ଏହି ପବିତ୍ର ଧାର୍ମିକ ସ୍ଥଳୀ କରତାରପୁର ସାହିବ୍‌ କରିଡର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ଗତବର୍ଷ ମାର୍ଚ୍ଚ ମାସ ଠାରୁ ବନ୍ଦ ରଖାଯାଇଥିଲା।

ଶିଖ ଗୁରୁ ତଥା ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ କରତାରପୁର କରିଡର ପୁଣି ଥରେ ଖୋଲିବାକୁ କେନ୍ଦ୍ର ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଏହି ପବିତ୍ର ସ୍ଥଳୀ ସମଗ୍ର ବିଶ୍ବରେ ପ୍ରସିଦ୍ଧିଲାଭ କରିଛି।

ଟୁଇଟ୍‌ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ନଭେମ୍ବର ୧୭ ତାରିଖ ଠାରୁ କରତାରପୁର ସାହିବ କରିଡର ଖୋଲିବ। ଏହା ଦ୍ୱାରା ବହୁ ସଂଖ୍ୟାରେ ଶିଖ ଶ୍ରଦ୍ଧାଳୁ କରତାରପୁର କରିଡ଼ର ଯିବାକୁ ସୁଯୋଗ ପାଇପାରିବେ। ସୂଚନାଯୋଗ୍ୟ, ଆଗାମୀ ୧୯ ତାରିଖରେ ଭାରତ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରକାଶ ଉତ୍ସବ ପାଳନ କରିବ। ଅନ୍ୟପଟରେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ କେନ୍ଦ୍ରର ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି।