ଜୟପୁର,ଏନ୍ଏନ୍ଏସ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଠାରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯିବ। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ରେ ସନ୍ଧ୍ୟା ୭ଟାରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ତଥା ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ। ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ଟିମ୍ ସାଉଦୀଙ୍କ ନେତୃତ୍ବରେ ଭାରତକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି।
ବିରାଟ କୋହଲି ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ପଦ ଛାଡ଼ିବା ପରେ ଏହି ଦାୟିତ୍ବ ରୋହିତ ଶର୍ମାଙ୍କୁ ମିଳିଛି। ସେହିପରି ନ୍ୟୁଜିଲାଣ୍ଡର ନିୟମିତ ଅଧିନାୟକ କେନ୍ ୱିଲିୟମ୍ସନ୍ ମଧ୍ୟ ଟି-୨୦ ଶୃଙ୍ଖଳାରେ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ଟିମ୍ ସାଉଦୀ ନେତୃତ୍ବ ନେଇଛନ୍ତି।
ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଟି-୨୦ ମ୍ୟାଚ ଖେଳାଯିବ। ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ଜୟପୁରରେ ଖେଳାଯିବ। ୧୯ରେ ରାଞ୍ଚି ଓ ୨୧ରେ କୋଲକାତାରେ ୨ ଦଳ ମୁହାଁମୁହିଁ ହେବେ। ନଭେମ୍ବର ୨୫ରୁ କାନପୁରରେ ପ୍ରଥମ ଟେଷ୍ଟ ଖେଳାଯିବ। ଡିସେମ୍ବର ୩ରୁ ୭ ମଧ୍ୟରେ ଶୃଙ୍ଖଳାର ୨ୟ ମ୍ୟାଚ୍ ମୁମ୍ବାଇରେ ହେବ।
ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ହର୍ଷଲ ପଟେଲ।
ନ୍ୟୁଜିଲାଣ୍ଡ: ଟିମ୍ ସାଉଦୀ (ଅଧିନାୟକ), ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟଡ୍ ଆସ୍ଲେ, ମାର୍କ ଚାପମ୍ୟାନ୍, ଲୋକି ଫର୍ଗୁସନ୍, ଆଦାମ ମିଲନେ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର, ଈଶ୍ ସୋଢି।