ଦୁଇ ଘଣ୍ଟାର ବର୍ଷାରେ ଗୁଣପୁର ସହର ବେହାଲ

ରାୟଗଡ଼ା,ଏନ୍ଏନ୍ଏସ୍: ଆଜି ଅପରାହ୍ଣରେ ଗୁଣପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ସାରା ସହର ଜଳମଗ୍ନ ହୋଇଯାଇଛି। ଗୁଣପୁର ସହରର ଢ଼ାଲୁ ତଳିଅଞ୍ଚଳର ଜନ ବସତିରେ ବର୍ଷାପାଣି ପ୍ରବେଶ କରିଥିବା ବେଳେ ରାସ୍ତାଘାଟ, ଜମି ବାଡି, ବଜାର, ବସଷ୍ଟାଣ୍ଡ ଚାରିଆଡେ ଜଳାର୍ଣ୍ଣବର ଦୃଶ୍ୟ ଦେଖିବାକୁ ମିଳିଛି। କମ ସମୟ ବର୍ଷାରେ ଲଣ୍ଡା ପାହାଡରୁ ପାଣି ଆସି ସହର ମଧ୍ୟରେ ପସିଥିଲା। ସେପଟେ ଆନ୍ଧ୍ର-ଓଡିଶା ସଂଯୋଗ କରୁଥିବା ଜଗନ୍ନାଥପୁର ନିକଟରେ ଥିବା ଅସ୍ଥାୟୀ ବ୍ରିଜ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଥିବା ଯୋଗୁଁ ଉକ୍ତ ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି। ଲଣ୍ଡା ପାହାଡ ତଳେ ଥିବା ଗୁଣପୁର ସହରର ଜଗନ୍ନାଥ ନଗର, କରଣଗୁଡା ଠାରୁ ଆରମ୍ଭ କରି ବାଇପାସ ଅଞ୍ଚଳ, ବାବୁଲି ନଗର, ଶିବଶକ୍ତି ଲେନ, ବଳରାମ ନଗରର ବିଭିନ୍ନ ଅଞ୍ଚଳ, ମହିମା ନଗର, ଶିଶୁ ମନ୍ଦିର ଅଞ୍ଚଳ, ତ୍ରିନାଥ ମନ୍ଦିର ଅଞ୍ଚଳ ଏବଂ ଶବର ବିହାର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ସନ୍ଧ୍ୟାରେ ସେହି ଅଞ୍ଚଳକୁ ଯାତାୟାତ ସମ୍ଭବ ହୋଇନଥିଲା। ସେହିପରି ଗାନ୍ଧୀ ନଗର ଅଞ୍ଚଳରେ ବର୍ଷାଜଳ ନିସ୍କାସନ ହୋଇ ନପାରି ଘରଭିତରେ ପାଣି ପଶିଯାଇଛି।

ସେହିଭଳି ପୁଟାସିଂ ରାସ୍ତା ସ୍ଥାନୀୟ ଏସପିଗୁଡ଼ା ଛକରେ ୫ଫୁଟ ପାଣି ଜମି ରହିବାରୁ ଏହି ରାସ୍ତା ଦେଇ ଗମନାଗମନ ଠପ ହୋଇଯାଇଛି। ଖବରପାଇ ଉପଜିଲ୍ଲାପାଳଙ୍କ ସମେତ ପୌରସଂସ୍ଥା କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଜଳବନ୍ଦିରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା। ଏନେଇ ଲୋକଙ୍କୁ ୪ ଘଣ୍ଟାକାଳ ନାକେଦମ ହେବାକୁ ପଡିଥିଲା।