ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ, ବାପାଙ୍କ କଥା ସ୍ମରଣ କରି କାନ୍ଦି ପକାଇଲେ ମାନସ

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁଁ ବୁଧବାର ବିଜେପି ପ୍ରାର୍ଥୀ ମାନସ ଦତ୍ତା ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଆଜି ସକାଳ ୧୧ଟା ୪୫ମିନିଟରେ ଦଳୀୟ କାର୍ଯ୍ୟାଳୟ ପରିସରରୁ ତାଙ୍କ ବାପା ମଦନ ମୋହନ ଦତ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଥମେ ଦଳୀୟ କାର୍ଯ୍ୟାଳୟ ଯାଇଥିଲେ । ବାପାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସମୟରେ ତାଙ୍କ ବାପାଙ୍କୁ ମନେପକାଇ କାନ୍ଦିପକାଇ ଥିଲେ । ସେଠାରୁ ଦଳୀୟ କର୍ମୀଙ୍କ ସହ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କେଭିଡ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିବା ଗାଇଡ୍‌ଲାଇନ ଅନୁସାରେ ଏକ ଶୋଭାଯାତ୍ରା ସେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ ପ୍ରାର୍ଥିପତ୍ର ଦାଖଲ ପାଇଁ ମାତ୍ର ୨ଟି ଗାଡ଼ିକୁ ଅନୁମତି ଥିବାରୁ ମାନସ ଦତ୍ତଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅନ୍ୟଏକ ଗାଡ଼ିରେ ଯାଇଥିଲା । ଅନ୍ୟପଟେ ମାନସ ତାଙ୍କ ମା’ଙ୍କୁ ସାଙ୍ଗରେ ଧରି ନାମାଙ୍କନପତ୍ର ଦାଖଲ କରିଛନ୍ତି । ମାନସଙ୍କ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ବିଜେପିର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଏହି ନାମାଙ୍କନପତ୍ର ଦାଖଲ ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବିଧାନସଭା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ, ବିଜେପିର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ରାଜ୍ୟ ସଭାନେତ୍ରୀ ଶୋଭନା ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ମିଡିଆସେଲର ଅରୂପ ଜେନା, ଗୌରାଙ୍ଗ ଦାସଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ମାନସଙ୍କ ଉପରେ ସମସ୍ତଙ୍କ ଆଶୀର୍ବାଦ ରହିଛି । ଏହି ଉପନିର୍ବାଚନରେ ମାନସ ବହୁ ସଂଖ୍ୟାରେ ବିଜୟ ଲାଭ କରିବେ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ ମତ ଦେଇଛନ୍ତି ।