ଅନ୍ଧବିଶ୍ୱାସରୁ ବୀଭତ୍ସ ହତ୍ୟାକାଣ୍ଡ : ଗୁଣିଗାରେଡି ସନ୍ଦେହରେ ମହିଳାଙ୍କ ବେକ କାଟି ହତ୍ୟା

ମୟୂରଭଞ୍ଜ,ଏନ୍ଏନ୍ଏସ୍: ରାଜ୍ୟରେ ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ବଳି ପାଇଁ ହତ୍ୟା କରାଯାଉଛି ତ ଆଉ କେତେବେଳେ ଗୁଣିଗାରେଡି ସନ୍ଦେହରେ ଲୋକମାନଙ୍କୁ ହତ୍ୟା କରାଯାଉଛି। ସେଭଳି କିଛି ଅନ୍ଧବିଶ୍ୱାସର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ। ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଶାରୀଶ୍ରୁ ଗ୍ରାମରେ ଜଣେ ମହିଳାଙ୍କ ବେକ କାଟି ଅତି ବୀଭତ୍ସ ଭାବରେ ହତ୍ୟା କରାଯାଇଛି।

ସୂଚନା ଅନୁସାରେ ଉକ୍ତ ଗ୍ରାମର ଅନିଲ ମହାନ୍ତଙ୍କ ଦୀର୍ଘ ୨୦ ବର୍ଷ ହେବ ସନ୍ତାନ ହେଉନଥିଲା। ତେବେ ଏହା ପଛରେ ସେହି ଗ୍ରାମର ଖୋଇରୀ ମହାନ୍ତଙ୍କ ହାତ ଥିବା ଅନିଲ ସନ୍ଦେହ କରିଆସୁଥିଲେ। ମଙ୍ଗଳବାର ସନ୍ଧ୍ୟା ସମୟରେ ଖୋଇରୀ ଗ୍ରାମ ନିକଟକୁ ପାଣି ଆଣିବାକୁ ଯାଇଥିବା ବେଳେ ଅନିଲ ଓ ତାଙ୍କ ଭାଇ ବଳରାମ ଏକ ଧାରୁଆ ଅସ୍ତ୍ରରେ ଖୋଇରୀଙ୍କ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି।

ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାରିପଦା ସାଇଣ୍ଟିଫିକ ଟିମର ସହାୟତା ନେଇ ତଦନ୍ତ ଜାରି ରଖିଛି। ତେବେ ହତ୍ୟାକାରୀ ଦୁଇ ଭାଇ ଫେରାର ଥିବା ସୂଚନା ମିଳିଛି।