କଟକରୁ ନକଲି ପନିର କାରବାର ଠାବ

କଟକ,ଏନ୍ଏନ୍ଏସ୍: କଟକକୁ ନକଲି କାରଖାନା ହବରେ ପରିଣତ କଲେଣି ଦୁର୍ବୃତ୍ତ। ଫଳରେ ଅପମିଶ୍ରଣର ଅମରାବତୀ ପାଲଟିଯାଇଛି କଟକ। ଏହା ବର୍ତ୍ତମାନ କମିସନରେଟ୍ ପୁଲିସର ଚିନ୍ତା ବଢାଇଛି। କଟକରେ ମହୁ ଠାରୁ ମହୌଷଧି ପର୍ଯ୍ୟନ୍ତ ସବୁ କିଛି ନକଲ କରାଯାଉଛି। କିଛିଦିନ ତଳେ କଟକରୁ ଏକ ନକଲି ଘିଅ, ଟମାଟୋ ସସ୍, ତେଲ ଓ ଗଙ୍ଗାଜଳ ତିଆରି କରାଯାଉଥିବା କମ୍ପାନୀ ଗୁଡିକୁ ଠାବ କରାଯାଇଥିଲା। ବର୍ତ୍ତମାନ କଟକରୁ ନକଲି ପନିର କାରବାର ଠାବ କରିଛି ଚାଉଳିଆଗଞ୍ଜ ପୁଲିସ।

ସୂଚନା ଅନୁସାରେ କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ନକଲି ପନିର କାରବାର ହେଉଥିବା ସୂଚନା ପାଇଁ ଚାଉଳିଆଗଞ୍ଜ ପୁଲିସ ଓ କଟକ ଫୁଡ୍ ସ୍କ୍ୱାର୍ଡ ମିଳିତ ଭାବରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପାଖାପାଖି ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ନକଲି ପନିର ଜବତ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଅପମିଶ୍ରିତ ପନିର ରାକେଟର ଚେର କଲିକତାରୁ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି।