ଗୁଜରାଟ ଟାଇଟନ୍ସ ଆଇପିଏଲ୍ ଚାମ୍ପିଅନ୍‌, ପଦାର୍ପଣ ସଂସ୍କରଣରେ ନିଜ ନାଁରେ କଲା ଟ୍ରଫି

ଅହମ୍ମଦାବାଦ,ଏଜେନ୍ସି: ଗୁଜରାଟ ଟାଇଟନ୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ରେ ଚାମ୍ପିଅନ୍ ହୋଇଛି । ନିଜର ପଦାର୍ପଣ ସଂସ୍କରଣରେ ହିଁ ଗୁଜରାଟ ଟାଇଟନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଇତିହାସ ରଚିଛି । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ପରାସ୍ତ କରିଛି । ଶୁଭମନ ଗିଲ ଛକା ମାରି ନିଜର ଟିମକୁ ଆଇପିଏଲ୍ ଚାମ୍ପିଅନ୍ କରାଇଥିଲେ ।

ନିଜର ପଦାର୍ପଣ ସଂସ୍କରଣରେ ଗୁଜରାଟ ଟିମ୍ ଭଲ ପ୍ରଦର୍ଶନ କରିଆସିଥିଲା, ଯାହାକି ଫାଇାନଲ ମ୍ୟାଚରେ ମଧ୍ୟ ପୁନରାବୃତ୍ତି କରିଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫ୍ରଣ୍ଟଫୁଟରୁ ନେତୃତ୍ୱ ନେଇଥିଲେ । ଫାଇନାଲ ମ୍ୟାଚରେ ପ୍ରଥମେ ବୋଲିଂ କରି ବ୍ୟକ୍ତିଗତ ଭାବେ ୩ଟି ୱିକେଟ ନେଇଥିଲେ । ପରେ ବ୍ୟାଟିଂ ପାଳିରେ ୩୪ ରନ୍ ସଂଗ୍ରହ କରିଥିଲେ ।

ଫାଇନାଲ ମୁକାବିଲାରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଂଜୁ ସାମସନ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ବିନିମୟରେ ୧୩୦ ରନ୍ କରିଥିଲା । ଜବାବରେ ଗୁଜରାଟ ୧୮.୧ ଓଭରରେ ୩ଟି ୱିକେଟ ହରାଇ ୧୩୩ ରନ୍ ସହ ମ୍ୟାଚ ଜିତିଥିଲା । ଗୁଜରାଟ ପକ୍ଷରୁ ଶୁଭମନ ଗିଲ ସର୍ବାଧିକ ୪୫ ରନ୍ ସଂଗ୍ରହ କରିଥିଲେ । ସେ ଅପରାଜିତ ରହି ୪୩ଟି ବଲ୍ ଖେଳିଥିଲେ । ଏଥିରେ ସେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଡେଭିଡ ମିଲର ଅପରାଜିତ ୩୨ ରନ୍ ସଂଗ୍ରହ କରିଥିଲେ । ରାଜସ୍ଥାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ନଥିବାରୁ ଟ୍ରଫି ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା ।