ହୋଲି ପାଇଁ ପ୍ରଶାସନ ଜାରି କଲା ଗାଇଡଲାଇନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରଙ୍ଗର ପର୍ବ ହୋଲି ଏବଂ ଦୋଳ ପୂର୍ଣ୍ଣିମା ପାଳନ ପାଇଁ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି। ଏହି ଗାଇଡଲାଇନ ଅନୁଯାୟୀ, ସାର୍ବଜନିକ ସ୍ଥଳୀରେ ବା ସାମୂହିକ ଭାବେ ହୋଲି ପାଳନକୁ ବାରଣ କରାଯାଇଛି। ସର୍ବସାଧାରଣ ସ୍ଥାନରେ ହୋଲି ପାଳନ ଉଦ୍ଦେଶ୍ୟରେ କୌଣସି ପ୍ରକାର ଜନ ସମାଗମ ହୋଇପାରିବ ନାହିଁ। ଭକ୍ତମାନେ ପୂଜାର୍ଚ୍ଚନା ପାଇଁ କେବଳ ମନ୍ଦିରକୁ ଯିବା ସହ ଘରେ ରହିପରିବାର ମଧ୍ୟରେ ହୋଲି ଖେଳିପାରିବେ। ତେବେ କୌଣସି ବ୍ୟକ୍ତି ଘରକୁ ଘର ବୁଲି ଅବା ରାସ୍ତାଘାଟରେ ହୋଲି ଖେଳିବା ଲାଗି ଲୋକଙ୍କୁ ଏକତ୍ରୀତ କରିବା ଏବଂ ସାମୂହିକ ଭାବେ ଏହାର ପାଳନ ନେଇ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ତେବେ ହୋଲି ପାଳନରେ କଟକଣା ଲାଗୁ କରିବା ସହ ଏହାକୁ ଲୋକେ କିଭଳି ପାଳନ କରିବେ ସେଥିପାଇଁ ପ୍ରତ୍ୟେକ ତହସିଲଦାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଉ ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶନାମାର ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।