ବସରୁ ଖସି ବୃଦ୍ଧଙ୍କ ମୃତ୍ୟୁ

କୋରାପୁଟ,ଏନ୍ଏନ୍ଏସ୍: ଦଶମନ୍ତପୁର ଥାନା ଲିଟିଗୁଡ଼ାରେ ଚଳନ୍ତା ବସରୁ ଖସି ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବୋରିଗୁମ୍ମା ବ୍ଲକ୍ ଚମ୍ପାପଦର ଗ୍ରାମର ବିଶ୍ୱନାଥ ପାଇକ(୬୦) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ବିଶ୍ୱନାଥ ତାଙ୍କ ଝିଅ ବାହା ହୋଇଥିବା ଦଶମନ୍ତପୁର ବ୍ଲକ୍ ଖଜୁରୀଗୁଡ଼ା ଗ୍ରାମକୁ ଆସିଥିବାବେଳେ ଝିଅ ସହ କୌଣସି କାମରେ କୋରାପୁଟ ଯାଇଥିଲେ। ଏକ ଘରୋଇ ବସରୁ କୋରାପୁଟରୁ ଫେରୁଥିବାବେଳେ ବସ୍ ରହିବା ଆଗରୁ ଓହ୍ଲାଉ ଥିବାବେଳେ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଖଜୁରୀଗୁଡ଼ା-କୋରାପୁଟ ରାସ୍ତା ଅବରୋଧ କରିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ବସ୍ ମାଲିକ ମୃତକର ପରିବାରକୁ କିଛି ଆର୍ଥିକ ସହାୟତା ଦେବା ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ। ଦଶମନ୍ତପୁର ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।