ଜିଏସ୍‌ଟି ପରିଷଦ ବୈଠକ, ବ୍ଲାକ୍‌ ଫଙ୍ଗସ୍‌ ଉପଚାର ଔଷଧ ଜିଏସ୍‌ଟିମୁକ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଜିଏସ୍‌ଟି ପରିଷଦର ୪୩ ତମ ବୈଠକ। ବୈଠକରେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନେ ଭାଗ ନେଇଥିଲେ। ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଭାଗ ନେଇଥିଲେ।

କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସ୍‌ଟି ପରିଷଦର ଅଧ୍ୟକ୍ଷ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସମ୍ବୋଧିତ କରି ପରିଷଦର ନିଷ୍ପତ୍ତି ସମ୍ବନ୍ଧରେ ସୂଚନା ଦେଇଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଆମ୍ଫୋଟେରିସିନ୍‌କୁ ଶୁଳ୍କମୁକ୍ତ କରାଯିବା ନେଇ ପରିଷଦ ନିଷ୍ପତ୍ତି ନେଇଛି। ବଜେଟ୍ ତଥା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁଁ ପରିଷଦର ବୈଠକ ବିଳମ୍ବିତ ହେଲା ବୋଲି ସେ କହିଛନ୍ତି। ଏଜେଣ୍ଡାରେ ଥିବା ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ଭାବେ ଚର୍ଚ୍ଚା ହୋଇଥିଲା। କୋଭିଡ୍ ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇରେ ଔଷଧ ତଥା ଚିକିତ୍ସା ଉପକରଣ ପରିଷଦର ଏଜେଣ୍ଡାରେ ଥିଲା। ବିଦେଶରୁ କୋଭିଡ୍‌-୧୯ ରିଲିଫ୍ ସାମଗ୍ରୀର ଆମଦାନୀ ଉପରେ ସୀମା ଶୁଳ୍କ ପ୍ରତ୍ୟାହାର କରାଯିବା ପାଇଁ ପରିଷଦ ନିଷ୍ପତ୍ତି ନେଇଛି।

ରାଜ୍ୟ ସରକାରଙ୍କ ଅନୁମତିରେ ସରକାରଙ୍କୁ ଦାନ ଦେବା ପାଇଁ ଆମଦାନୀ କରାଯାଉଥିଲେ ଏହା ଆଇଜିଏସ୍‌ଟିମୁକ୍ତ ହେବ ବୋଲି ସେ କହିଛନ୍ତି। ଏହା ଅଗଷ୍ଟ ୩୧ ଯାଏ ଜାରି ରହିବ ବୋଲି ସେ କହିଛନ୍ତି। ଜିଏସ୍‌ଟି କରଦାତାଙ୍କ ମଧ୍ୟରେ ୮୯% କ୍ଷୁଦ୍ର ବ୍ୟବସାୟୀ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସେମାନେ ବିଳମ୍ବିତ ରିଟର୍ଣ୍ଣ ଦାଖଲ କରିପାରିବେ। ପରିଷଦ ଜୁଲାଇ ୨୦୨୧ରେ ଏକ ବୈଠକ ଆହ୍ୱାନ କରିବ, ଯେଉଁ ବୈଠକରେ ୨୦୨୨ ପରଠାରୁ କ୍ଷତିପୂରଣ ସମ୍ବନ୍ଧୀୟ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟମାନଙ୍କୁ ଜିଏସ୍‌ଟି ଜନିତ କ୍ଷତିପୂରଣ ଦେବାପାଇଁ କେନ୍ଦ୍ର ୧.୫୮ ଲକ୍ଷ କୋଟି ଟଙ୍କା ଋଣ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଇନ୍‌ଭର୍ସନ୍ ଶୁଳ୍କ ଉପରେ ଆଲୋଚନା କରିବାର ଏହା ପ୍ରକୃଷ୍ଟ ସମୟ ନୁହେଁ। ତେଣୁ ସେ ସମ୍ବନ୍ଧୀୟ ଆଲୋଚନା ପରବର୍ତ୍ତୀ ବୈଠକରେ କରାଯିବ ବୋଲି ସେ କହିଛନ୍ତି। ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯିବ। ୧୦ ଦିନ ମଧ୍ୟରେ ଅର୍ଥାତ୍ ଜୁନ୍ ୮ ପୂର୍ବରୁ ଏହି କମିଟି ଯଦି କୋଭିଡ୍ ଚିକିତ୍ସା ଜନିତ ଅନ୍ୟ କୌଣସି ସାମଗ୍ରୀ ଉପରେ ଟ୍ୟାକ୍ସ ହ୍ରାସ କରିବାକୁ ଅନୁଭବ କରେ, ତା’ହେଲେ ସେ ନେଇ କମିଟି ନିଜର ନିଷ୍ପତ୍ତି ଜଣାଇବା ପରେ ସରକାର ନିର୍ଣ୍ଣୟ ନେବେ।