ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଆଜି ଅପରାହ୍ଣରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବଜାରରେ ଗୋଟିଏ ହୋଲସେଲ କିରାନା ଦୋକାନକୁ ପ୍ରଶାସନ ସିଲ୍ କରିଛି । ଦୋକାନ ମାଲିକ ଜଣକ ସମାଜିକ ଦୂରତା କଟକଣାକୁ ମନୁନଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ଧାର୍ଯ୍ୟ ହୋଇଥିବା ସମୟସୀମା ପରେ ମଧ୍ୟ ଦୋକାନ ଖୋଲା ରଖୁଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାରେ ସକାଳ ୭ଟା ଠାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଆଜି ଅପରାହ୍ଣ ୨ଟାରେ ପୁଲିସ ବଜାରରେ ପାଟ୍ରୋଲିଂ କରୁଥିବାବେଳେ ଦାରିଙ୍ଗବାଡ଼ି ବ୍ଲକ ରୋଡରେ ଥିବା ଦୁର୍ଗା ସୁବୁଦ୍ଧିଙ୍କର ହୋଲସେଲ ଦୋକାନ ଖୋଲା ରହିଥିଲା। ଏଥିପାଇଁ ଦୋକାନକୁ ପ୍ରଶାସନ ତରଫରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିଲ୍ କରଯାଇଛି । ଏହା ଜଣାପଡିବା ପରେ ଲୁଚା ଛପାରେ ଧାର୍ଯ୍ୟ ସମୟ ପରେ ମଧ୍ୟ ଦୋକାନ ଖୋଲୁଥିବା ଦୋକାନ ମାଲିକମାନେ ଛାନିଆ ହୋଇ ପଡ଼ିଛନ୍ତି।
ଦାରିଙ୍ଗବାଡି ତହସିଲଦାର ନୀତିଶ କୁମାର ତ୍ରିପାଠୀ, ଥାନା ଅଧିକାରୀ କୌଶିକ ମାଝୀ ରାଜସ୍ୱ ନିରୀକ୍ଷକ କେଦାର ପ୍ରସାଦ ସାହୁ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରିଙ୍କ ସମେତ ପୁଲିସ ଓ ତହସିଲ କର୍ମଚାରୀମାନେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଧାର୍ଯ୍ୟ ସମୟପରେ ଦୋକାନ ଖୋଲିଲେ କିମ୍ବା ସାମାଜିକ ଦୂରତା ନିୟମକୁ ପାଳନ ନକଲେ ଦୋକାନ ଗୁଡିକୁ ସିଲ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।