ତିଳେଇବଣି ଓ ଲାଇମୁରା ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ତିଳେଇବଣି ଓ ଲଇମୁରା ଫରେଷ୍ଟ ସେକ୍ସନ ଅଞ୍ଚଳରେ ପୁଣିଥରେ ହାତୀ ଆତଙ୍କ ଫେରିଛି । ଗତ ନଭେମ୍ବର ମାସରେ ଉପୋରକ୍ତ ଅଞ୍ଚଳରେ ହାତୀ ବ୍ୟାପକ ପନିପରିବା ଓ ଧାନ ଫସଲ ନଷ୍ଟ କରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଥିବାବେଳେ ଗତକାଲିଠାରୁ ୨ଟି ଦନ୍ତା ହାତୀ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତିରେ ୨ ହାତୀ ଲଇମୁରା ସେକ୍ସନ ଅନ୍ତର୍ଗତ ଧୂବାକଟା ଗ୍ରାମର ତ୍ରିପୁରାରି ବାରିକଙ୍କ ଘର ଭାଙ୍ଗି ଧାନ ଖାଇବା ସହ ଶିବ କିସାନଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ସେହିପରି ତିଳେଇବଣି ସେକ୍ସନ ଅନ୍ତର୍ଗତ ତିଳେଇମାଳ ଗ୍ରାମର ଦୟା କିସାନଙ୍କ ଘର ଭାଙ୍ଗି ଧାନ ଖାଇଥିବା ଜଣାପଡ଼ିଛି । ରାତିସାରା ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ସୂଚନା ପାଇ ଲଇମୁରା ସେକ୍ସନ ବନପାଳ ଛବିଳ କୁମାର ସାହୁ ଓ ତିଳେଇବଣି ସେକ୍ସନ ବନପାଳ କାର୍ତ୍ତିକ ପ୍ରଧାନ ବନ କର୍ମଚାରୀଙ୍କ ସହ ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହାତୀ ଘଉଡ଼ାଇଥିଲେ । ଆଉ ଆଜି ସକାଳୁ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଥିବା ସୂଚନା ମିଳିଛି ।