ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଶକ୍ତି କ୍ଷେତ୍ରରେ ଓଡ଼ିଶା ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କରିଛି। ଇବ୍ ଥର୍ମାଲ ବନହରପାଲିସ୍ଥିତ ଓଡ଼ିଶା ତାପଜ ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି)କୁ ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର କୋଇଲା ଖଣି ପର୍ଯ୍ୟନ୍ତ ନୂତନ ଭାବେ ନିର୍ମିତ ଏମଜିଆର ରେଳଲାଇନକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ମନୋହରପୁର କୋଇଲା ଲୋଡିଂ ପ୍ଲାଟଫର୍ମରେ ଆଜି ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ପୂର୍ବତନ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ଼ ସଦର ବିଧାୟକ କୁଶୁମ ଟେଟେ, ପୂର୍ବତନ ବିଧାୟକ ଯୋଗେଶ ସିଂହ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ହେମଗିର ବ୍ଲକ ଅଧ୍ୟକ୍ଷା ସୁଧାରାଣୀ ରାଉଡ଼ିଆ, ଓପିଜିସିର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ମହାପାତ୍ର ଓ ଓପିଜିସିର ଓସିପିଏଲ ମୁଖ୍ୟ ନିର୍ବାହୀ ସାରିପୁତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଉପସ୍ଥିତ ଅତିଥିବୃନ୍ଦ ସବୁଜ ପତାକା ଦେଖାଇ ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍(ଓସିପିଏଲ୍)ର ମନୋହରପୁର କୋଇଲା ଖଣିରୁ ଏହି ଏମଜିଆର୍ ଉପରେ କୋଇଲା ପରିବହନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଶ୍ରୀ ମିଶ୍ର କହିଛନ୍ତି ଯେ, ଆଜିଠାରୁ ଓଡ଼ିଶାର ଶକ୍ତି କ୍ଷେତ୍ରରେ ସ୍ୱର୍ଣ୍ଣମ ଅଧ୍ୟାୟ ଆରମ୍ଭ ହେଲା । ଆମର ଉତ୍ପାଦିତ କୋଇଲାରୁ ବିଜୁଳି ଉତ୍ପାଦନ କରି ରାଜ୍ୟର କୋଣ ଅନୁକୋଣକୁ ପଠାଯିବ। ଫଳରେ ଏକ ଦୁର୍ଗମ ଅଞ୍ଚଳର ସାଧାରଣ ଲୋକଟିଏ ମଧ୍ୟ ବିଦ୍ୟୁତ ସେବାର ସୁବିଧା ପାଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
