ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁଦିନ ଚୋର ଓ ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ଗତ ରାତିରେ ବାଲିଗୁଡ଼ା ଏନଏସି ଅନ୍ତର୍ଗତ ୨ନଂ ୱାର୍ଡର ଜାମପଦା ସାହିର ଜଣେ ଆର୍ମି ଅଫିସରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଜାମପଦା ସାହିର ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନଙ୍କ ଘରେ କେହି ନଥିବାବେଳେ ବିଳମ୍ବିତ ରାତିରେ ଦୃର୍ବୁତ୍ତ ତାଙ୍କ ଘରର ମୁଖ୍ୟ ଓ ଭିତର ଫାଟକ ତାଲା ଓ ଘରେ ପଶି ଆଲମିରା ଭାଙ୍ଗି ସେଥିରେ ଥିବା ପ୍ରାୟ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ବୁଧବାର ସମ୍ପୃକ୍ତ ଆର୍ମି ଅଫିସରଙ୍କ ଭାଇ ଘର ନିକଟକୁ ଆସିବା ପରେ ଘରର ତାଲା ଓ ଆଲମିରା ଭଙ୍ଗା ଯାଇଥିବା ଦେଖି ବାଲିଗୁଡ଼ା ଥାନା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବାଲିଗୁଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ପ୍ରକାଶଥାଉ କି, ଗତ ୨୩ ତାରିଖରେ ବାଲିଗୁଡ଼ା ସୁନାପାଙ୍ଗା ସାହିର ସ୍ୱପ୍ନେଶ୍ୱର ସାହୁଙ୍କ ଘରୁ ମଧ୍ୟ ବଡ଼ ଧରଣର ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାର ସପ୍ତାହେ ନପୁରୁଣୁ ପୁଣି ଗତକାଲି ରାତିରେ ଆଉ ଏକ ଲୁଟ୍ ହୋଇଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।