ବରଗଡ଼ରେ ସୁନା ଠକେଇ, ନକଲି ସୁନା ଗୁଣ୍ଡ ସହ ୨ ଗିରଫ

ବରଗଡ଼,ଏନ୍‌ଏନ୍‌ଏସ୍‌: ସୁନା ବିକ୍ରୀ ଠକେଇ ମାମଲାରେ ବରଗଡ଼ ଟାଉନ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ବରଗଡ଼ ୱାର୍ଡ ନମ୍ବର ୧୮ ଅନ୍ତର୍ଗତ ବାନ୍ଦୁଟିକ୍ରା ନିବାସୀ ପ୍ରତିମା ରାଣୀ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ୨ଜଣ ନକଲି ସୁନା ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ପୁଲିସ ଅଭିଯୁକ୍ତଙ୍କଠାରୁ ୮କିଲୋଗ୍ରାମର ନକଲି ସୁନା ଗୁଣ୍ଡ ସହ ୨ଟି ଏଟିଏମ୍ କାର୍ଡ, ୩ଟି ମୋବାଇଲ ଓ ଗୋଟିଏ ଆର୍ଟିଗା ଗାଡ଼ି ଜବତ କରିଛି ।

ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତଦ୍ୱୟ ୱେବସାଇଟରେ ନିଜର ମୋବାଇଲ ନମ୍ବର ସହ ଏକ ବଡ଼ ବ୍ୟବସାୟ ନାଁ ଦେଇ ଜାଲ ବିଛାଇ ଥିଲେ । ଆଉ ଏହି ମୋବାଇଲକୁ ଯୋଗାଯୋଗ କରି ପ୍ରତିମା ରାଣୀ ପ୍ରଧାନ ଫସି ଯାଇଥିଲେ । ଅଭିଯୁକ୍ତମାନେ ତାଙ୍କୁ ସୁନା ବ୍ୟବସାୟ ପାଇଁ ଲାଇସେନ୍ସ ସହ କଞ୍ଚାମାଲ ମଧ୍ୟ ଯୋଗେଇଦେବେ ବୋଲି କହିଥିଲେ । ଏଥିଲାଗି ସେମାନେ କଞ୍ଚାମାଲ ପାଇଁ ୧୩ଲକ୍ଷ ୫୦ହଜାର ଟଙ୍କା ଏବଂ ଲାଇସେନ୍ସ ପାଇଁ ୨୨ ହଜାର ଟଙ୍କା ନେଇଥିଲେ । କିନ୍ତୁ ସେମାନେ ନକଲି ସୁନା ଗୁଣ୍ଡ ଦେଇଥିବା ପ୍ରତିମାରାଣୀ ଜାଣିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ଏବଂ ପୁଲିସ ତତ୍ପରତା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବରଗଡ଼ ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ସତ୍ୟଜିତ ଖଣ୍ଡେଲକର ସୂଚନା ଦେଇଛନ୍ତି ।