ନବରଙ୍ଗପୁରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ୧୫ କିଶୋରୀଙ୍କୁ ସିଲେଇ ମେସିନ ପ୍ରଦାନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁଙ୍କ ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ୪ଟି କମିଟି ଯଥା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଓ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଦିଗରେ ବାଲ୍ୟ ବିବାହ ନିଷେଧ ଅଧିକାରୀମାନେ ଗ୍ରାମ ସ୍ତରରେ ଜାତି ସମାଜର ମୁଖ୍ୟଙ୍କୁ ନେଇ ପୁଲିସ ପ୍ରଶାସନ ସହାୟତାରେ ସଚେତନ ବୈଠକ କରିବା ସହି ଅଧିକରୁ ଅଧିକ କିଶୋର କିଶୋରୀଙ୍କୁ କୌଶଳ ବିକାଶ ଶିକ୍ଷାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅବସରରେ ଜିଲ୍ଲାରେ ୧୦ଟି ବ୍ଲକ ଓ ୧୮୯ଟି ଗ୍ରାମପଞ୍ଚାୟତ ସ୍ତରରେ ଅନୁରୂପ ଭାବେ ବ୍ଲକ ଓ ପଞ୍ଚାୟତସ୍ତରରେ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କଫୋର୍ସ ଶିଶୁ ଶ୍ରମିକ ନିରାକରଣ କମିଟିର ବୈଠକ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ କହିଥିଲେ । ଚଳିତ ବର୍ଷ ଜିଲ୍ଲାରେ ମୋଟ ୨୮୧ଟି ବାଲ୍ୟ ବିବାହକୁ ବନ୍ଦ କରାଯିବା ସହିତ ଆଜିପର୍ଯ୍ୟନ୍ତ ୪୫୫ଟି ରାଜସ୍ୱ ଗ୍ରାମ ଓ ୪୨୬ ପଡ଼ାଗ୍ରାମକୁ ମିଶାଇ ମୋଟ ୮୮୧ ଗ୍ରାମକୁ ପ୍ରଶାସନ ତରଫରୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯିବ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ କହିଥିଲେ । ପରେ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ଶିଶୁଙ୍କ ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଏଥିରେ ଜିଲ୍ଲାର ୧୫ ଜଣ କିଶୋରୀଙ୍କୁ ଆକ୍ସନଏଡ ଅନୁଷ୍ଠାନ ସହଯୋଗରେ ଦିଆଯାଇ ଥିବା ସିଲେଇ ମେସିନକୁ ଜିଲ୍ଲାପାଳ ଡ. ମିଶ୍ର ବାଣ୍ଟିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦିବାକର ବାହୁକ, ଡିଏସପି ବବିତା ତ୍ରିପାଠୀ, ଶିକ୍ଷାଧିକାରୀ ପ୍ରଦୀପ୍ତ କୁମାର ନାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଡିପିହେଚେଓ ଡା. ମଳୟ ତ୍ରିପାଠୀ ଓ ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।