ଏୟାରପୋର୍ଟରୁ ବିପୁଳ ପରିମାଣର ସୁନା ବିସ୍କୁଟ ଜବତ

ନୂଆଦିଲ୍ଲୀ,ଏଜେନ୍ସି: ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବେଆଇନ ଭାବେ ସୁନା ବିସ୍କୁଟ ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। କଷ୍ଟମ ବିଭାଗ ଏହି ସୁନା ଜବତ କରିବା ସହିତ ୨ ଜଣଙ୍କୁ ଅଟକ ରଖିଛି। ସେମାନେ ରିଆଦରୁ ସୁନା ନେଇ ଦିଲ୍ଲୀ ଆସିଥିଲେ। ସେମାନଙ୍କ ନିକଟରୁ ୫୦୦ ଗ୍ରାମରୁ ଅଧିକ ସୁନା ବିସ୍କୁଟ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୨୩ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି। ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଅଧିକାରୀଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନେ ରିଆଦରୁ ସୁନା ଆଣି ଜଜିରା ଏୟାରଲାଇନ୍ସରେ ଦିଲ୍ଲୀରେ ପହଞ୍ଚିଥିଲେ। ଏହି ମଧ୍ୟରେ ୨ ଯାତ୍ରୀଙ୍କ ଚାଲିଚଳଣି ଉପରେ କଷ୍ଟମ ବିଭାଗର ସନ୍ଦେହ ହୋଇଥିଲା। ସେମାନେ ଗ୍ରୀନ ଚ୍ୟାନେଲ ମଧ୍ୟ ପାର ହୋଇଯାଇଥିଲେ। କିନ୍ତୁ ସେମାନଙ୍କ ଉପରେ ବିଭାଗର ନଜର ରହିଥିଲା। ପରେ ତାଙ୍କୁ ଯାଞ୍ଚ କରାଯିବାରୁ ତାଙ୍କ ନିକଟରୁ ଏହି ସୁନା ଜବତ ହୋଇଥିଲା। ଏତେ ମାତ୍ରାରେ ସୁନା ସେମାନେ କେଉଁଠୁ ଆଣିଲେ, ଏହା ପୂର୍ବରୁ ସେ କେତେଥର ଏଭଳି କାମ କରିଛନ୍ତି ଏବଂ ସେମାନଙ୍କ ସହିତ ଆଉ କେଉଁମାନେ ଏହି କାମରେ ସାମିଲ ଅଛନ୍ତି ସେ ନେଇ ପଚରାଉଚରା ଜାରି ରହିଛି।