ମମିତାଙ୍କୁ ହତ୍ୟା ନେଇ ସତ ମାନିଲା ଗୋବିନ୍ଦ ସାହୁ

ଧର୍ମଗଡ଼,ଏନ୍ଏନ୍ଏସ୍: ଜେରା ବେଳେ ସତ ମାନିଲା ଗୋବିନ୍ଦ ସାହୁ। ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି ଗୋବିନ୍ଦ। ହତ୍ୟା କରି ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲା। ଏନେଇ ପୁଲିସ ଆଗରେ ଦୋଷ ସ୍ୱୀକାର କରିଛି ଗୋବିନ୍ଦ। ଘଟଣା ଦିନ ଗୋବିନ୍ଦ ସହ ୩ରୁ ୫ଜଣ ବ୍ୟକ୍ତି ଥିଲେ। ଗୋବିନ୍ଦ ସହ ଅଟକ ୩ ଜଣଙ୍କୁ ମୁହାଁମୁହିଁ ଜେରା ପରେ ପୁଲିସ ଆଗରେ ସତ ସ୍ୱୀକାର କରିଥିବା ଜଣାପଡ଼ିଛି। କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଗତକାଲି ଗୋବିନ୍ଦ ସାହୁକୁ ଗିରଫ କରାଯାଇଥିଲା।

ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୁଲିସ। ଗତକାଲି ଅପରାହ୍ଣରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୁଲିସ। ବଲାଙ୍ଗିର ଏସପି ଅଫିସରେ ରାତି ତମାମ ଜେରା କରିବା ପରେ ଆଜି ଭୋର ୫ଟାରେ ବଲାଙ୍ଗିର ମେଡିକାଲରେ ଗୋବିନ୍ଦଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ କରାଯାଇଛି। ତାଙ୍କ ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ। ବଲାଙ୍ଗିର ଏସପିଙ୍କ କାର୍ଯ୍ୟାଳୟରେ ଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ରିଜର୍ଭ ପୁଲିସ ବାରାକକୁ ନିଆଯାଇଥିଲା।

ବିଳମ୍ବିତ ରାତିରେ ଗୋବିନ୍ଦ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁକୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗିର ପୁଲିସ। ଅନ୍ୟପଟେ ଏହି ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ। ମହାଲିଙ୍ଗ କଲେଜରେ ଅସାମାଜିକ କାର୍ଯ୍ୟ ଚାଲିଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। କଲେଜରେ ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ ମରାଯାଉଥିବା ନେଇ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏହି ଘଟଣାକୁ ନେଇ ଆଜି କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।