ଦେବାକୁ ପଡ଼ିବ ଜଳବାୟୁ କର!

ଦୀପକ ବେହେରା

ପ୍ରସିଦ୍ଧ ଆମେରିକୀୟ ସାହିତ୍ୟିକ ଉଟା ଫେଲିପ୍ସ ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଥରେ କହିଥିଲେ ଯେ ପୃଥିବୀ ଆପେ ଆପେ ମରୁନାହିଁ। ବରଂ ପୃଥିବୀକୁ ମାରିଦିଆଯାଉଛି। ହତ୍ୟାକାରୀର ନାମ, ଚେହେରା ଏବଂ ଠିକଣା ସମସ୍ତଙ୍କୁ ଜଣା ଅଛି। ଏହାପରେ ବି ସମସ୍ତେ ଚୁପ୍‌ଚାପ ରହି ବର୍ବାଦୀର ନାଟକ ଦେଖୁଛନ୍ତି।

ବାସ୍ତବିକ ବର୍ତ୍ତମାନ ବିଶ୍ୱବ୍ୟାପୀ ଗ୍ଲୋବାଲ ୱାର୍ମିଂକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ କେହିବି ସକାରାତ୍ମକ ପଦକ୍ଷେପ ନେଉନାହାନ୍ତି। ଗ୍ଲୋବାଲ ୱାର୍ମିଂ ଯେ ଆଗାମୀ ଦିନରେ ସମଗ୍ର ପୃଥିବୀ ବିଶେଷକରି ଭାରତ ପାଇଁ ଭୟାନକ ସ୍ଥିତି ସୃଷ୍ଟି କରିପାରେ ଏହାକୁ ଜାଣିଜାଣି ଅଣଦେଖା କରାଯାଉଛି। ନିକଟରେ ସଂଯୁକ୍ତ ରାଷ୍ଟ୍ରର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍‌ ଚେଞ୍ଜ(ଆଇପିସିସି)ର ଏକ ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଯଦି ବିଶ୍ୱର ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାହାଲେ ସମଗ୍ର ବିଶ୍ୱ ବିଶେଷକରି ଏସିଆ ମହାଦେଶରେ ଏହାର ସର୍ବାଧିକବିନାଶକାରୀ ପ୍ରଭାବ ଦେଖିବାକୁ ମିଳିବ। ପ୍ରବଳ ମାତ୍ରାରେ ଗରମ ପବନ ପ୍ରବାହିତ ହେବା ଯୋଗୁଁ ଲୋକଙ୍କ ଜୀବନହାନି ଘଟିପାରେ।

ଉକ୍ତ ରିପୋର୍ଟରେ ଗ୍ଲୋବାଲ ୱାର୍ମିଂ କିପରି ସମଗ୍ର ବିଶ୍ୱର ଆର୍ଥିକ, ସାମାଜିକ ଓ ଭୌଗୋଳିକ ସ୍ଥିତିକୁ ଗଭୀର ଭାବେ ପ୍ରଭାବିତ କରିବ ସେନେଇ ଉଲ୍ଲେଖ କରାଯାଇଛି। ତଥ୍ୟ ଅନୁଯାୟୀ ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ବଢ଼ିଲେ ୨୦୫୦ ମସିହା ସୁଦ୍ଧା ଦୁନିଆର ୩୫ କୋଟି ଲୋକ ସିଧାସଳଖ ଭାବେ ପ୍ରଭାବିତ ହେବେ। ସେଥିପାଇଁ ୨୦୩୫ ସୁଦ୍ଧା ବିଶ୍ୱ ତାପମାନ ବୃଦ୍ଧିକୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସମଗ୍ର ବିଶ୍ୱକୁ ପ୍ରାୟ ୨ ଲକ୍ଷ ୪୦ ହଜାର କୋଟି ଆମେରିକୀୟ ଡଲାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯାହା ସମଗ୍ର ବିଶ୍ୱର ଜିଡିପିର ୨.୫ ପ୍ରତିଶତ ଅଟେ।

ସେହିପରି ଅନ୍ୟ ଏକ ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ପକ୍ଷରୁ ଆକଳନ କରାଯାଇ କୁହାଯାଇଛି ଯେ ପ୍ରଚଳିତ ହାରରେ ଯଦି ବିଶ୍ୱରେ ତାପମାତ୍ରା ବୃଦ୍ଧି ଜାରି ରୁହେ ତାହେଲେ ବିଶ୍ୱବ୍ୟାପୀ ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବ ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ ୨୦୬୦ ମସିହା ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ପାଣିପାଗ ପରିବର୍ତ୍ତନ ଯୋଗୁଁ ପ୍ରାୟ ୪୪ ଲକ୍ଷ ହଜାର କୋଟି ଟଙ୍କାର ଫସଲ ହାନି ହେବାର ଆଶଙ୍କା ରହିଛି। ଏହି କ୍ଷତିରେ ଭାରତର ଯୋଗଦାନ ସର୍ବାଧିକ ରହିବା ନେଇ ରିପୋର୍ଟରେ ଦର୍ଶାଯାଇଛି। କାରଣ ଭାରତରେ କୃଷିକୁ ପାରମ୍ପରିକ ଏବଂ ପୁରୁଣା ପଦ୍ଧତିରେ ହିଁ କରାଯାଇଥାଏ। ତେଣୁ ଭାରତ ସରକାର ଗ୍ଲୋବାଲ ୱାର୍ମିଂକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଖର୍ଚ୍ଚ କରିବେ।

ଏକବିଂଶ ଶତାବ୍ଦୀରେ ସ୍ୱାସ୍ଥ୍ୟ, ଶିକ୍ଷା ତଥା ମୌଳିକ ସୁବିଧା ସୁଯୋଗ ପାଇଁ ଅର୍ଥ ବ୍ୟୟ କରିବା ସ୍ଥାନରେ ସରକାର ଗ୍ଲୋବାଲ ୱାର୍ମିଂକୁ ନିୟନ୍ତ୍ରଣ କରିବା ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରିବେ। ତେଣୁ ଆଗାମୀ ଦିନରେ ପର୍ଯ୍ୟାବରଣ ଟ୍ୟାକ୍ସ ଅର୍ଥାତ ପରିବେଶ କର ଯଦି ଦେବାକୁ ପଡ଼େ ତାହେଲେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଏପଟରେ ହିମାଳୟରେ ଥିବା ଗ୍ଲେସିୟର ଲଗାତାର ଭାବେ ତରଳିବା ଭାରତ ପାଇଁ ନିକଟ ଭବିଷ୍ୟତରେ ଏକ ବିରାଟ ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଜାତୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ହିମାଳୟରେ ପ୍ରାୟ ୯୫୭୫ଟି ଛୋଟବଡ଼ ଗ୍ଲେସିୟର ରହିଛି। ବର୍ତ୍ତମାନ ହିମାଳୟରେ ଅନେକଗୁଡ଼ିଏ ଗ୍ଲେସିୟର ତରଳୁଥିବା ବେଳେ ଏହା ବିପଦଜନକ ପରିସ୍ଥିତି ସୃଷ୍ଟି କଲାଣି। ତେବେ ୨୦୩୫ ସୁଦ୍ଧା ଯଦି ଏହି ପରିସ୍ଥିତି ଉପରେ ପ୍ରଭାବୀ ନିୟନ୍ତ୍ରଣ ରଖାନଯାଏ ତାହେଲେ ଉକ୍ତ ଗ୍ଲେସିୟରମାନ ସମ୍ପୂର୍ଣ୍ଣଭାବେ ତରଳିଯିବାର ଆଶଙ୍କା ଦେଖାଦେଲାଣି। ଏହାଫଳରେ ସେଠାରେ ଥିବା ପ୍ରାକୃତିକ ଜଳ ଉତ୍ସଗୁଡ଼ିକରେ ଭୟଙ୍କର ବନ୍ୟା ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ଫଳରେ ସେକେଣ୍ଡ ପ୍ରତି ହଜାର ହଜାର କ୍ୟୁବିକ ମିଟର ଜଳ ପ୍ରବାହିତ ହେବା ସହ ଉତ୍ତର ଭାରତରେ ଭୂସ୍ଖଳନ, ବନ୍ୟା ସୃଷ୍ଟି ହେବ। ଏପଟେ ଗ୍ଲେସିୟର ତରଳିଯିବା ହେତୁ ଭାରତର ପ୍ରାୟ ୧୦ କୋଟି ଲୋକ ସିଧାସଳଖ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଉଛି। କାରଣ ଏହି ୧୦ କୋଟି ଲୋକ ଗ୍ଲେସିୟରରୁ ବାହାରୁ ଥିବା ମଧୁର ଜଳ ଉପରେ ସମ୍ପୂର୍ଣ୍ଣ ମାତ୍ରାରେ ନିର୍ଭରଶୀଳ। ସେହିପରି ଭାରତ ସମେତ ଏସିଆ ମହାଦେଶର ପ୍ରାୟ ୪୦ କୋଟି ଲୋକ ଏହାଦ୍ୱାରା ପ୍ରଭାବିତ ହେବେ। କାରଣ ଏହି ହିମାଳୟର ଗ୍ଲେସିୟରରୁ ବାହାରୁଥିବା ଏହି ପ୍ରାକୃତିକ ଜଳ ଉତ୍ସଗୁଡ଼ିକ ଥରେ ନଷ୍ଟ ହୋଇଗଲା ପରେ ଅର୍ଥାତ ସୁଖିଗଲାପରେ ଏହାର ପୁନଃ ଉତ୍ପତ୍ତି ହେବାର ସମ୍ଭାବନା ହିଁ ନାହିଁ। ତେଣୁ ଆଗାମୀ ଦିନରେ ବିଶ୍ୱବ୍ୟାପୀ ପ୍ରଚେଷ୍ଟା ହିଁ ପୃଥିବୀର ଭାଗ୍ୟ ନିର୍ଦ୍ଧାରଣ କରିବ।