ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ, ଯୁବକ ମୃତ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ଅନ୍ତର୍ଗତ ବସନ୍ତପୁର ଛକ ନିକଟରେ ବାଇକ ଗଛକୁ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରିଆମାଳ ଥାନା ଅର୍ନ୍ତଗତ କେନ୍ଦୁଘାଟ ଗ୍ରାମର ନରେନ୍ଦ୍ର ନାଗ(୩୫) । ମିଳିଥିବା ରିପୋର୍ଟ ମୁତାବକ, ନରେନ୍ଦ୍ର ସ୍ତ୍ରୀ ଓ ୨ ଝିଅକୁ ଶ୍ୱଶୁର ଘର ହାଡ଼ସଂହାର ଗ୍ରାମରେ ଛାଡି଼ ଘରକୁ ଫେରୁଥବାବେଳେ ଦିନ ୧ଟାରେ ବସନ୍ତପୁର ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟିବାରୁ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ନରେନ୍ଦ୍ରଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପୁଲିସ ପହଞ୍ଚି ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବ ବୋଲି ସୂଚନା ମିଳିଛି ।